ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଓ ତାତିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ। ଶନିବାର ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୧୪ଟି ସହରରେ ପାରଦ ୪୦ଛୁଇଁଛି। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ଅସମ୍ଭାଳ ତାତିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ତେବେ ଆଗାମୀ ମେ’ ୨ ତାରିଖ ଯାଏଁ ଏହି ଭଳି ଗରମ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ରାଜ୍ୟର ଉପକୂଳବର୍ତ୍ତୀ କିଛି ଅଞ୍ଚଳକୁ ବାଦ୍‌ ଦେଲେ ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଶନିବାର ଝାରସୁଗୁଡ଼ାରେ ୪୩ ଡିଗ୍ରୀ, ସମ୍ବଲପୁର ୪୨.୭ ଡିଗ୍ରୀ, ହୀରାକୁଦ ୪୨ ଡିଗ୍ରୀ, ଭବାନୀପାଟଣା ୪୨.୬ ଡିଗ୍ରୀ, ବଲାଙ୍ଗିର ୪୩.୫, ଫୁଲବାଣୀ ୪୧.୬ ଏବଂ ସୋନପୁରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ଗରମ କାରଣରୁ ଅଂଶୁଘାତର ଭୟ ଲାଗିରହିଛି। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଅଂଶୁଘାତ କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଗରମକୁ ଦୃଷ୍ଟିରେ ରଖି ଦିନବେଳା ଘର ବାହାରକୁ ନଆସିବା ପାଇଁ ଆଞ୍ଚଳିକ ପାଣପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment