ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ରାଜନୀତିର ହଟ୍ ସିଟରେ କେନ୍ଦ୍ରାପଡ଼ା। ଆସନ୍ତାକାଲି ଏହି ଆସନରେ ଭୋଟ ହେଉଥିବାରୁ ସାରା ରାଜ୍ୟବାସୀଙ୍କ ନଜର ରହିଛି ଏହା ଉପରେ। ବିଜେପି ଏବଂ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହେଉଥିବାରୁ ଭୋଟିଂ ଦିନ ଏଠାରେ କ’ଣ ହେଉଛି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।
କେବଳ ରାଜ୍ୟବାସୀ ନୁହନ୍ତି, ପ୍ରଶାସନିକ କଳ ବି କେନ୍ଦ୍ରାପଡ଼ା ଉପରେ ବିଶେଷ ଫୋକସ୍ ରଖିଛନ୍ତି। ମତଦାନ ଦିନ ଏଠାରେ ଅଧିକ ଫୋର୍ସ ନିୟୋଜିତ କରିବାକୁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।
‘‘ମତଦାନ ହେଉଥିବା ଅଞ୍ଚଳରେ ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ। ରବିବାର ରାତି ସୁଦ୍ଧା ସଂପୃକ୍ତ ଅଞ୍ଚଳର ଭୋଟର ହୋଇ ନଥିବା ଲୋକଙ୍କୁ ସେହି ଅଞ୍ଚଳ ଛାଡ଼ିବାକୁ ପଡ଼ିବ। ଯଦି ବାହାର ଅଞ୍ଚଳର ଭୋଟର କିଏ ଧରା ପଡ଼ନ୍ତି ତାହାଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’, କହିଛନ୍ତି ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିଲେ ମଧ୍ୟ ବାହାର ଅଞ୍ଚଳର ଲୋକ କେନ୍ଦ୍ରାପଡ଼ାରେ ଡେରା ପକାଇଥିବା ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲା।

















