ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୋଟର ତାଲିକା ପ୍ରସ୍ତୁତି ଶେଷ
  • ଅନ୍ୟ ରାଜ୍ୟରୁ ଆସିଛି ଆବଶ୍ୟକ ବାଲଟ ବକ୍ସ
  • ରାଜ୍ୟରେ ବି ତିଆରି ଚାଲିଛି ବାଲଟ ବକ୍ସ
  • କୋଭିଡ ପରିସ୍ଥିତିକୁ ଦେଖି ଗାଇଡଲାଇନ ଜାରି ହେବ
  • କୋଭିଡ ଆକ୍ରାନ୍ତ ଦେଇପାରିବେ ଭୋଟ

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ପାଇଁ ପୁନର୍ବାର ପ୍ରାର୍ଥୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ପ୍ରକାଶିତ କରାଯାଇଛି। ଏହା ସହ ସରପଞ୍ଚ, ଓ୍ଵାର୍ଡମେମ୍ବର ଓ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନୀ ଚିହ୍ନ ଜାରି କରାଯାଇଛି ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ି।

‘‘ପଞ୍ଚାୟତ ନିର୍ବାଚନ ପାଇଁ ବାହାର ରାଜ୍ୟରୁ ଆବଶ୍ୟକ ବାଲଟ ବକ୍ସ ଆସି ରାଜ୍ୟରେ ପହଞ୍ଚିଛି। ବଳକା ବାଲଟ ବକ୍ସ ରାଜ୍ୟରେ ତିଆରି ଚାଲିଛି। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନୀ ଚିହ୍ନ ଜାରି ହୋଇଛି। ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ୧୯ ପ୍ରକାର, ଓ୍ଵାର୍ଡମେମ୍ବରଙ୍କ ପାଇଁ ୧୫ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୧୯ ପ୍ରକାର ଚିହ୍ନ ଜାରି କରାଯାଇଛି । ଏ ସମ୍ପର୍କରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସରକାରୀ ପ୍ରେସରେ ବାଲଟ ପେପର ଛପା ଚାଲିଛି,’’ ସେ କହିଛନ୍ତି।

ଭୋଟ ଦେବା ସମୟରେ ସମସ୍ତ କୋଭିଡ ନିୟମକୁ ପାଳନ କରାଯିବ। କୋଭିଡ ଆକ୍ରାନ୍ତମାନେ ମଧ୍ୟ ମତଦାନ କରିପାରିବେ। ମତଦାନ ସମୟରେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ନିର୍ବାଚନ ପ୍ରଚାର ଏବଂ ଭୋଟ ଗ୍ରହଣ ସମୟରେ କୋଭିଡ ପରିସ୍ଥିତିକୁ ଦେଖି ଗାଇଡ ଲାଇନ୍ ଜାରି କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ଆଗାମୀ ପଞ୍ଚାୟତ ନିର୍ବାଚନରୁ ପଛୁଆ ବର୍ଗଙ୍କ ସଂରକ୍ଷଣକୁ ବାଦ ଦିଆଯିବା ପରେ ନୂଆ ତାଲିକା ପ୍ରସ୍ତୁତ କରାଯାଇଥିଲା। ପ୍ରାର୍ଥୀଙ୍କ ନୂଆ ତାଲିକା ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here