ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇ ଫେବ୍ରୁଆରି ୨୬ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଛି। ଭୋଟ ଗଣତିର ପ୍ରଥମ ଦିନରେ ରାଜ୍ୟରେ ବିଜେଡି ଆଗରେ ରହିଥିବାବେଳେ ଦ୍ଵିତୀୟରେ ବିଜେପି ଏବଂ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ। ରବିବାର ସକାଳ ୮ଟାରୁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। ଆସନ୍ତା ଫେବ୍ରୁଆରି ୨୮ ତାରିଖ ଭୋଟ ଗଣତିର ଶେଷ ଦିନ। ଆଜି ମୋଟ ୩୦୭ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଚାଲିଛି।

ଜିଲ୍ଲାର ବ୍ଲକ ସଦର ମହକୁମାରେ ଖୋଲାଯାଇଥିବା ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଛି। ମୋଟ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ପ୍ରଥମ ଦିନ ଭୋଟ ଗଣତିରେ ବିଜେଡି ଆଗରେ ରହିଥିଲା।

ଗଣତି କେନ୍ଦ୍ର ନିକଟରେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାରିକେଡ୍ କରାଯାଇଛି। ଭୋଟ ଗଣତି ପାଇଁ ଗଣତି କେନ୍ଦ୍ରରେ ଗୋଟିଏ ପଞ୍ଚାୟତ ପାଇଁ ଗୋଟିଏ ଟେବୁଲ ରହିଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର୍, ଦୁଇ ଜଣ କାଉଣ୍ଟିଂ ଆସିଷ୍ଟଣ୍ଟ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିୟୋଜିତ ରହିଛନ୍ତି। ଆସନ୍ତା ଫେବ୍ରୁଆରି ୨୮ ତାରିଖରେ ୨୨୯  ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରାଯିବ। ରାଜ୍ୟର ୩୦ ଜିଲ୍ଲାର ଭୋଟର ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ କରିଥିଲେ।

Comment