ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ ହେବ ପ୍ରାର୍ଥୀଙ୍କ ଭାଗ୍ୟ ଏବଂ କିଏ ପିନ୍ଧିବ ବିଜୟ ମୁକୁଟ? ସୋମବାର ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ଚାଲିଛି। ଦିନ ୩ଟା ସୁଦ୍ଧା ବିଜେଡି ଆଗରେ ରହିଛି। ୮୫୧ଟି ଜୋନ ମଧ୍ୟରୁ ବିଜେଡି ୭୫୯ଟି ଜୋନରେ ଆଗୁଆ ରହିଛି। ବିଜେଡ଼ି ପଛରେ ରହିଛି ବିଜେପି ଏବଂ ତା’ ପଛରେ ରହିଛି କଂଗ୍ରେସ।

ବର୍ତ୍ତମାନ ସୁଦ୍ଧା ବିଜେଡି ୫୪୩ଟି ଜୋନରେ ବିଜୟୀ ହୋଇଥିବାବେଳେ ବିଜେପି ୩୧ଟି ଏବଂ କଂଗ୍ରେସ ୩୦ଟି ଜୋନରେ ବିଜୟ ହାସଲ କରିଛି। ଏହା ସହ ୭ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜେୟୀ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି।

ଶନିବାର ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ହୋଇଥିଲା। ମୋଟ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୨୮୨ଟି ଆସନ ବିଜୟ ହାସଲ କରିଥିବାବେଳେ ବିଜେପି ୧୫ ଓ କଂଗ୍ରେସ ୧୪ଟି ଆସନ ଜିତିଥିଲା। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କ ହାତକୁ ଯାଇଥିଲା ମାତ୍ର ୪ଟି ଆସନ। ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ବାଜି ମାରିଛି ବିଜେଡି।

ଦ୍ୱିତୀୟ ଦିନ ଗଣତିର ୨୭୦ଟି ଆସନ ମଧ୍ୟରୁ ବିଜେଡି ୨୩୬ଟିରେ ବିଜୟୀ ହୋଇଥିବାବେଳେ ବିଜେପି ୧୬ଟି, କଂଗ୍ରେସ ୧୫ଟି ଓ ଅନ୍ୟମାନେ ୨ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି। ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି।

Comment