ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ସୋମବାର ବିଳମ୍ବିତ ରାତିରେ ଶେଷ ହୋଇଛି। ସୋମବାର ରାତି ୧୨ରେ ବାପାଘର ଅସ୍ଥାୟୀ ମଣ୍ଡପ ଛାଡ଼ିଥିଲେ ମା’। ଭୋର ୩ରୁ ୪୦ ସମୟରେ ମା’ ଶାଶୂଘର ମୁଖ୍ୟ ମନ୍ଦିର ପହଞ୍ଚିଥିଲେ। ମୁଖ୍ୟ ଘଟ ସମେତ ୮ ପାର୍ଶ୍ୱ ଘଟ ଏକ ବିରାଟ ଶୋଭାଯାତ୍ରାରେ ମୁଖ୍ୟ ମନ୍ଦିର ଯାଉଥିବା ବେଳେ ବିଭିନ୍ନ ସାହିରୁ ୨୦ହଜାର ଘଟକୁ ମାନସିକ ଧାରୀ ମହିଳାମାନେ ମୁଣ୍ଡରେ ଧରି ଯାଇଥିଲେ। ଏହି ଘଟଗୁଡ଼ିକୁ ପରମ୍ପରା ଅନୁଯାୟୀ ମୁଖ୍ୟ ମନ୍ଦିରରେ ବିସର୍ଜନ କରାଯାଇଥିଲା।

ମନ୍ଦିରର ମୁଖ୍ୟ ପୂଜକ ଦୁର୍ଗା ପ୍ରସାଦ ବେହେରା ଆନୁଷ୍ଠାନିକ ଭାବେ ଠାକୁରାଣୀଙ୍କ ବାପା ଦେଶୀ ବେହେରାଙ୍କ ନିକଟକୁ ଯାଇ ଠାକୁରାଣୀଙ୍କୁ ଶାଶୂଘର ଫେରାଇ ଦେବାକୁ ଅନୁରୋଧ କରିଥିଲେ। ଏହାପରେ ମା’ ଶାଶୂଘର ଫେରନ୍ତି।

ଅସ୍ଥାୟୀମଣ୍ଡପରୁ ବାହାରି ମା’ ପ୍ରଥମେ ମହୁରୀ ରକବାଟି ଗଲେ। ସେଠାରୁ ବଡ଼ ବଜାର ଦେଇ ସାଆନ୍ତାଣୀ ସାହି, ମାର୍ଥାପେଟା ସାହି, କେଉଟ ସାହି, ଶଙ୍କରପୁର ସାହି, ଜେନା ସାହି, ବଛୁବରୀ ସାହି, କେଦାରେଶ୍ୱର ପେଟା ସାହି, ଚନ୍ଦ୍ରମା ସାହି, ଖାସପା ସାହି, ଜଉରା ସାହି, ପେଦିଵରୀ ସାହି ଓ ଖଡୁରେ ସାହି ଦେଇ ମୁଖ୍ୟ ମନ୍ଦିର ପହଞ୍ଚିଥିଲେ।

୩୨ଦିନ ରହଣି ସମୟରେ ମା’ ବୁଢ଼ୀ ଠାକୁରାଣୀ ଅସ୍ଥାୟୀ ପୀଠରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିଲେ। ମା’ ବାପଘରୁ ଫେରୁଥିବାବେଳେ ବହୁ ଭକ୍ତଙ୍କ  ଆଖି  ଛଳ ଛଳ ହୋଇ ଉଠୁଥିଲା। ଜଉରା ସାହିରେ ମାଉସୀଙ୍କ ଘରେ ମା’ ପୁଣି  କାକରା ଓ ପୋଡ଼ ପିଠା ଖାଇଥିଲେ। ଏହି ପିଠା ମା’ ଯାତ୍ରାର ସପ୍ତମ, ଚଉଦ ଦିନ ଓ ଶେଷ ଦିନରେ ଖାଇଥାନ୍ତି। ଅନ୍ୟଦିନ ଗୁଡ଼ିକରେ ମୁଖ୍ୟ ମନ୍ଦିରରେ ଏହି ପିଠା ଭୋଗ ହୁଏନାହିଁ।

ଗିରିମାର୍କେଟସ୍ଥିତ ମୋଚି ସମ୍ପ୍ରଦାୟ ପକ୍ଷରୁ ପୂର୍ବରୁ ମା’ଙ୍କ ମେଲାଣି ଭାର ଭାବେ କଞ୍ଚା ଓ ପାଚିଲା ଫଳ, କୁଲା, ପାଛିଆ ସହ ଗୋଟିଏ କୁକୁଡ଼ା ଦିଆଯାଇଥିଲା।

ମା’ଙ୍କ ଲେଉଟାଣୀ ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଏଥିପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ମାନସିକ ଘଟଧାରୀଙ୍କ ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଚଳିତବର୍ଷ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଥିଲା ଓ ଏହା ଏପ୍ରିଲ ୨୯ ଅର୍ଥାତ ଆଜି ଶେଷ ହେବ।

Comment