ଓଡ଼ିଶାଲାଇଭ୍ ବ୍ୟୁରୋ 

ଘଣ୍ଟାକୁ ୬ କିଲୋମିଟର ବେଗରେ ଆସୁଛି ବାତ୍ୟା ‘ଫନି’।

ଉପକୂଳ ଓଡ଼ିଶାବାସୀଙ୍କ ଚିନ୍ତା ବଢ଼ାଇଛି ଫନି। ସାମୁଦ୍ରିକ ଝଡ଼ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଅଭିମୁଖେ ମାଡ଼ି ଆସୁଛି। ଘଣ୍ଟାକୁ ୬ କିଲୋମିଟର ବେଗରେ ମାଡ଼ି ଆସୁଥିବା ଝଡ଼କୁ ନେଇ ଏବେ ସବୁଠି ଛନକା ସୃଷ୍ଟି ହୋଇଛି।

କେବେ ଓ କେଉଁଠି ଳ୍ୟାଣ୍ଡଫଲ୍ କରିବ ‘ଫନି’?

ସାମୁଦ୍ରିକ ଝଡ଼ ଫନି ଚାନ୍ଦବାଲି ଏବଂ ଗୋପାଳପୁର ବନ୍ଦରର ମଧ୍ୟଭାଗ ପୁରୀର କୁଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୩ ତାରିଖ ସନ୍ଧ୍ୟା ୫ଟା୩୦ ମିନିଟରେ ‘ଫନି’ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପବନର ବେଗ କେତେ ରହିବ?

ଶୁକ୍ରବାର ସନ୍ଧ୍ୟାରେ ବାତ୍ୟା ‘ଫନି’ ଲ୍ୟାଣ୍ଡଫଲ କରିବାର ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଆସନ୍ତାକାଲିଠାରୁ ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି। ଗୁରୁବାର ଅପରାହ୍ଣରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ମୂଷଳ ଧାରାରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହ ଗୁରୁବାର ସନ୍ଧ୍ୟାରୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ରାତିରେ ପବନର ବେଗ ବଢ଼ିପାରେ ବୋଲି କୁହାଯାଉଛି।

ଶୁକ୍ରବାର ଦିନ ପବନର ବେଗ ଅଧିକ ରହିବ। ଲ୍ୟାଣ୍ଡଫଲ କରିବା ପରେ ଘଣ୍ଟାକୁ ୧୭୫ରୁ ୧୮୫ କିଲୋମିଟର ବେଗରେ ପବନ ବହିବା ସହ ସ୍ଥଳ ବିଶେଷରେ ପବନର ବେଗ ୨୦୦ କିଲୋମିଟର ଟପିପାରେ ବୋଲି ପୂର୍ବାନୁମାନ କରାଯାଉଛି।

ଲ୍ୟାଣ୍ଡଫଲ ପରେ କୁଆଡେ ଯିବ ଫନି?

ଶୁକ୍ରବାର ସନ୍ଧ୍ୟାରେ ପୁରୀରେ ବାତ୍ୟା ଫନି ଲ୍ୟାଣ୍ଠଫଲ କରିବା ପରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଯିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଯେଉଁ ଯେଉଁ ଜିଲ୍ଲା ଦେଇ ଫନି ଅତିକ୍ରମ କରିବ ସେଠି ମୂଷଳ ଧାରାରେ ବର୍ଷା ସହ ଜୋରରେ ପବନ ବହିବାର ସମ୍ଭାବନା ରହିଛି।

କେଉଁ ଜିଲ୍ଲାରେ ହେବ ପ୍ରବଳ ବର୍ଷା?

ମେ’ ୩ରୁ ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କୋରାପୁଟ ଏବଂ କନ୍ଧମାଳ ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ରାୟଗଡ଼ା, ମାଲକାନଗିରି ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ ଓଡ଼ିଶାଲାଇଭକୁ କହିଛନ୍ତି।

୬ ଘଣ୍ଟା ପରେ ଓଡ଼ିଶା ମୁହାଁଇବ ଫନି

ସାମୁଦ୍ରିକ ଝଡ଼ ଫନି ଏବେ ପୁରୀଠାରୁ ୬୫୦ ଏବଂ ବିଶାଖାପଟନମଠାରୁ ୩୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ବର୍ତ୍ତମାନ ଫନି ଆନ୍ଧ୍ର ଉପକୂଳ ଦେଇ ଗତି କରୁଛି। ୬ ଘଣ୍ଟା ପରେ ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ।

ମେ’ ମାସରେ କାହିଁକି ଆସିଲା ଫନି?

୧୯୯୯ ମହାବାତ୍ୟା ହେଉ କି ଫାଇଲିନ୍, ହୁଡ୍‌ହୁଡ୍‌, ତିତଲି, ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ଏହି ବାତ୍ୟାର କରାଳ ରୂପକୁ ଦେଖିଛନ୍ତି ଓଡ଼ିଶାବାସୀ। କିନ୍ତୁ ଏବେ ମେ’ ମାସରେ ଆସୁଛି ବାତ୍ୟା ‘ଫନି’। ତେବେ ଭୟଙ୍କର ରୂପ ନେଇ ମେ’ ମାସରେ କାହିଁକି ବାତ୍ୟା ଆସିଲା ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ଏହାର କାରଣ କହିଛନ୍ତି।

‘‘ଏବେ ସମୁଦ୍ରରେ ତାପମାତ୍ରା ଅଧିକ ରହିଛି। ମାର୍ଚ୍ଚ ମାସରୁ ସୂର୍ଯ୍ୟଙ୍କ କିରଣ ବଢ଼ିଥାଏ। ଏହାର ପ୍ରଭାବ ସମୁଦ୍ର ଉପରେ ପଡ଼ିଥାଏ। ଫଳରେ ସମୁଦ୍ରର ତାପମାନ ବୃଦ୍ଧି ପାଇଥାଏ। ଧିରେ ଧିରେ ତାପମାତ୍ରା ବୃଦ୍ଧି ପାଇଥାଏ ସମୁଦ୍ରରେ। ଫଳରେ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ବାତ୍ୟା ସୃଷ୍ଟି ହୋଇଥାଏ। ଏବେ ବିଶ୍ୱତାପନ ଯୋଗୁଁ ସମୁଦ୍ରପତ୍ତନରେ ୩୦ରୁ ୩୧ ଡିଗ୍ରୀ ଯାଏଁ ତାପମାତ୍ରା ରହୁଛି। ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବେ ବି ତାପମାତ୍ରା ଅଧିକ ରହିଛି। ଫଳରେ ମେ’ ମାସରେ ବାତ୍ୟା ସୃଷ୍ଟି ହୋଇଛି’’, କହିଛନ୍ତି ଶରତ ଚନ୍ଦ୍ର ସାହୁ।

ଶରତ ଚନ୍ଦ୍ର ସାହୁ ଆହୁରି କହିଛନ୍ତି, ‘‘ମୌସୁମୀ ଆସିବା ପୂର୍ବରୁ ଏବଂ ପରେ ସାଧାରଣତଃ ବାତ୍ୟା ସୃଷ୍ଟି ହୋଇଥାଏ। ବାୟୁମଣ୍ଡଳର ଉପରିଭାଗର ୧୫ କିଲୋମିଟର ଉଚ୍ଚରେ ଜେଡ୍ ଷ୍ଟ୍ରିମ ରହିଛି। ହିମାଳୟର ଉପରିଭାଗରେ ଏହା ରହିଥିଲା। କିନ୍ତୁ ଗତ ୧୫ରୁ ୨୦ ଦିନ ହେଲା ପ୍ରତିଦିନ କାଳବୈଶାଖୀ ହେଉଥିଲା। ଫଳରେ ଜେଡ୍ ଷ୍ଟ୍ରିମ୍ ତଳକୁ ଖସି ଆସିଥିଲା। ଏହି କାରଣ ପାଇଁ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।’’

Comment