ଓଡ଼ିଶାଲାଇଭ୍‌ ବ୍ୟୁରୋ

masood Azhar

ବାପା ଶିକ୍ଷକ, ପୁଅ ଆତଙ୍କବାଦୀ

ପୁଲୱାମା ହମଲାର ମାଷ୍ଟର ମାଇଣ୍ଡ ମାସୁଦ ଅଜହର ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷିତ ହୋଇଛି। ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହର୍‌ର ବାପା ଜଣେ ଶିକ୍ଷକ ଥିଲେ, ହେଲେ ପୁଅ ହେଲା ଅନ୍ତର୍ଜାତୀୟ ଟେରୋରିଷ୍ଟ। ତେବେ ଆସନ୍ତୁ ଜାଣିବା ଆତଙ୍କବାଦୀ ମାସୁଦ ଅଜହର ବିଷୟରେ କିଛି ରୋଚକ କଥା।

୧୯୬୮ ମସିହାର ଜୁଲାଇ ୧୦ ତାରିଖରେ ପାକିସ୍ତାନରେ ଜନ୍ମ ନେଇଥିଲା ମାସୁଦ ଅଜହର। ମାସୁଦ୍‌ର ୯ ଭାଇ ଭଉଣୀ ମଧ୍ୟ ଅଛନ୍ତି। ବାପା ଉଲ୍ଲାହ ସବିର ଏକ ସରକାରୀ ସ୍କୁଲର ଶିକ୍ଷକ ଥିଲେ। ବାନୁରି ନଗର, କରାଚି ଏବଂ ଜାମିଆ ଉଲୁମ ଇସଲାମିଆ ନାମକ ମଦ୍ରାସାରୁ ତାଲିମ ନେଇଥିଲା କୁଖ୍ୟାତ ଆତଙ୍କବାଦୀ। ଏହି ମଦ୍ରାସାରେ ସେ ମୌଲାନା ଭାବେ ରହି ପାଠ ପଢ଼ାଇବା ସହ ଆତଙ୍କବାଦୀ ଶିକ୍ଷା ଦେଉଥିଲା। ପରେପରେ ହରକତ-ଉଲ-ଅନସାର ନାମକ ଆଫଗାନିସ୍ତାନ ସଂଗଠନ ସହ ସମ୍ପର୍କରେ ଆସିଥିଲା। ଖାଲି ସେତିକି ନୁହେଁ ମାସୁଦ ଉର୍ଦ୍ଦୁ ପତ୍ରିକାର ସମ୍ପାଦକ ମଧ୍ୟ ଥିଲା।

ମାସୁଦର ଲକ୍ଷ୍ୟ ଥିଲା ଭାରତଠୁ କଶ୍ମୀରକୁ କିପରି ଅଲଗା କରିହେବ। ୧୯୯୯ ମସିହା ଡିସେମ୍ବର ୩୧ରେ କାନ୍ଦାହାର ପହଞ୍ଚିବା ପରେ ମାସୁଦ ଏବଂ ତାର ସହଯୋଗୀ ଲାଡେନକୁ ଭେଟିଥିଲେ। ଏହାପରେ ପାକିସ୍ତାନ ଫେରିଆସି ୨୦୦୦ ମସିହାରେ ଜୈସ-ଏ-ମହମ୍ମଦ ନାମକ ସଂଗଠନ ଗଢ଼ିଥିଲେ। ଭାରତରେ ବାରମ୍ବାର ହମଲା ପରେ ପାକିସ୍ତାନ ସରକାର ଲୋକ ଦେଖାଣିଆ ଭାବେ ଏହି ସଂଗଠନକୁ ବ୍ୟାନ କରିଦେଇଥିଲେ। କିନ୍ତୁ ଚାଲାକ ମାସୁଦ ସଂଗଠନର ନାମ ବଦଳାଇ ଏହାକୁ ଚାଲୁ ରଖିଥିଲା।

କାନ୍ଦାହାର ବିମାନ ଅପହରଣ ପଛର ମାଷ୍ଟରମାଇଣ୍ଡ

୧୯୯୯ ମସିହା ଡିସେମ୍ବର ୨୪ ଅପରାହ୍ନ ୫ଟା ସମୟରେ କାଠମାଣ୍ଡୁରେ ତ୍ରୁଭବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭାରତୀୟ ବିମାନକୁ ଅପହରଣ କରିନେଇଥିଲା। ଏହି ବିମାନରେ ୧୭୮ ଜଣ ଭାରତୀୟ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀଙ୍କୁ ନେଇ ଆଫଗାନିସ୍ତାନର କାନ୍ଦାହାରକୁ ନେଇଯାଇଥିଲା ମାସୁଦ ଅଜହର।

୩୫ ଆତଙ୍କବାଦୀଙ୍କୁ ଛାଡ଼ିବା ସହ ୨୦୦ ମିଲିୟନ ଆମେରିକୀୟ ଡଲାର ବଦଳରେ ଭାରତୀୟଙ୍କୁ ଛାଡ଼ିବା ପାଇଁ ସର୍ତ୍ତ ରଖିଥିଲା ମାସୁଦ। ଘଟଣାର ୭ ଦିନ ପରେ ଭାରତ ସରକାର ୩ ଆତଙ୍କବାଦୀଙ୍କୁ ଛାଡ଼ିବା ପରେ ୧୭୮ ଜଣ ଯାତ୍ରୀଙ୍କୁ ଛାଡ଼ିଥିଲା ମାସୁଦ।

ଭାରତରେ ଘଟାଇଛି ଅନେକ ଆତଙ୍କ

ଏହାଛଡ଼ା ଲସ୍କର-ଏ-ତୋଏବା ସହ ମିଶି ୨୦୦୧ ମସିହା ଡିସେମ୍ବରରେ ଭାରତୀୟ ସଂସଦ ଉପରେ ଆକ୍ରମଣ କରିଥିଲା। ୨୦୧୬ରେ ପଠାନକୋଟ ହମଲାରେ ମଧ୍ୟ ଏହି ଆତଙ୍କବାଦୀର ହାତ ରହିଥିବା ସ୍ପଷ୍ଟ ହୋଇଥିଲା।  ୧୯୮୦ ମସିହାରୁ ବର୍ତ୍ତମାନ ସୁଦ୍ଧା ଚାନ୍ଦା ଆକାରରେ ବିପୁଳ ପାଣ୍ଠି ଆଦାୟ କରୁଛି ଏହି କୁଖ୍ୟାତ ଆତଙ୍କବାଦୀ। ଏହାଛଡ଼ା ମାସୁଦ୍‌ର ସଂଗଠନକୁ ଆଫ୍ରିକା, ଜାମ୍ବିଆ ଏବଂ ବ୍ରିଟେନ ଭଳି ଦେଶରୁ ପାଣ୍ଠି ଆସୁଛି।

ମାସୁଦ ଅଜହରକୁ ବୁଧବାର ସଂଯୁକ୍ତ ରାଷ୍ଟ୍ର ଗ୍ଲୋବାଲ ଟେରରିଷ୍ଟ(ବିଶ୍ୱ ଆତଙ୍କୀ) ଘୋଷଣା କରିଛି। ପୁଲଓ୍ୱାମା ଘଟଣା ପରେ ଭାରତ ଏଥିପାଇଁ ଚେଷ୍ଟା ଚଲାଇ ଆସିଥିଲା। ଆଜି ସଂଯୁକ୍ତ ରାଷ୍ଟ୍ର ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମାସୁଦ ଅଜହରକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା କରାଯାଇଛି।

Comment