ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦ ଆକ୍ରମଣରେ ନିଜକୁ ଦାୟୀ କରିଛି ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦ। ଏହାପରେ ଭାରତ ସରକାର ବାରମ୍ବାର ଏହି ସଂଗଠନ ଉପରେ ନଜର ରଖିବା ସହ ତା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଆସୁଛି। ମସୁଦ ଅଜହର ନେତୃତ୍ୱରେ ଚାଲୁଥିବା ଜୈଶ-ଏ-ମହମ୍ମଦ ସଂଗଠନ ପାକିସ୍ତାନର ବହାବଲପୁରରେ ରହିଛି। ଜାଣନ୍ତୁ ଜୈଶ-ଏ-ମହମ୍ମଦ ସଂଗଠନର ହେଡକ୍ୱାର୍ଟର ବିଷୟରେ…

ଜୈଶର ହେଡକ୍ୱାର୍ଟର ଲାହୋରଠାରୁ ପାଖାପାଖି ୪୦୦ କିମି ଦୂର ବହାବଲପୁରରେ ଅବସ୍ଥିତ। ଏକ ମସଜିଦ ଏବଂ ମଦ୍ରାସା ଜରିଆରେ ତାହାର ଆତଙ୍କୀ କାର୍ଯ୍ୟକଳାପକୁ ସଞ୍ଚାଳନ କରିଥାଏ। ଭାରତର କଡ଼ା ବିରୋଧ ଯୋଗୁଁ ପାକ୍ ସରକାର ପ୍ରଥମ ଥର ପାଇଁ ବହାବଲପୁରସ୍ଥିତ ମଦରସାତୁଲ ସାବିର ଏବଂ ମାଜିଦ ଶୁଭାନଉଲହାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଘୋଷଣା କରିଥିଲା। ଏମାନଙ୍କ ଉପରେ ନଜର ରଖିବା ପାଇଁ ପାକ୍ ସରକାର ଦୁଇ ଜଣ ପ୍ରଶାସକଙ୍କୁ ମଧ୍ୟ ନିଯୁକ୍ତ ଦେଇଛନ୍ତି। ବହାବଲପୁର କମ୍ଲେକ୍ସକୁ ଏଣ୍ଟ୍ରି ଗେଟ୍ ବୋଲି କୁହାଯାଇଥାଏ। ଜୈଶରେ ସାମିଲ ହେବାକୁ ଚାହିଁଥିବା ବ୍ୟକ୍ତିଙ୍କୁ ଏହି ଗେଟ୍‌ରେ ଏଣ୍ଟ୍ରି କରିବାକୁ ପଡ଼ିଥାଏ। ଏଠାରୁ ପୁଣି ବାଲାକୋଟରେ ଟ୍ରେନିଙ୍ଗ ଦିଆଯିବା ପରେ ବିଭିନ୍ନ ପଦପଦବୀରେ ରଖାଯାଏ।

ଆତଙ୍କବାଦୀଙ୍କ ହେଡକ୍ୱାର୍ଟର କୌଣସି ସାଧାରଣ ସ୍ଥାନ ନୁହେଁ, ବରଂ ଏଠାରେ ବହୁ ପ୍ରକାର ସୁବିଧା ଉପଲବ୍ଧ। ପାଖାପାଖି ତିନି ଏକର ଜମି ଉପରେ ଏହି ସଂଘଟନ ନିଜର କାୟା ବିସ୍ତାର କରିଛି, ଯେଉଁଠି ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯାଇଥାଏ। ପାଖାପାଖି ୬୦୦ ଯୁବକଙ୍କୁ ଲଗାତାର ପ୍ରଶିକ୍ଷଣ ଦିଆଯାଉଥିବା କୁହାଯାଉଛି।

ଏହି ସ୍ଥାନକୁ ନିଜ ଇଚ୍ଛା ଅନୁସାରେ କରିବା ପାଇଁ ମସୁଦକୁ ପାଖାପାଖି ତିନି ବର୍ଷ ସମୟ ଲାଗିଛି। ଏଠାରେ ଜିମ୍ ଏବଂ ସୁଇମିଂ ପୁଲ ଭଳି ସୁବିଧା ଉପଲବ୍ଧ। ସମସ୍ତ ପ୍ରକାର ଅତ୍ୟାଧୁନିକ ସେବା ଦ୍ୱାରା ଭରପୂର ଏହି ହେଡକ୍ୱାର୍ଟର। ଏହି ହେଡ୍‌ କ୍ୱର୍ଟରକୁ ନିର୍ମାଣ କରିବା ପାଇଁ ମସୁଦକୁ କେବଳ ସରକାରୀ ସାହାଯ୍ୟ ମିଳିନି ବରଂ ଏଥିପାଇଁ ମିଡିଲ ଇଷ୍ଟ, ଆଫ୍ରିକା ଏବଂ ୟୁକେରୁ ମଧ୍ୟ ଅର୍ଥ ମିଳିଛି। ମସୁଦ ଅଜହର ପରିବାର ସଦସ୍ୟ ସହିତ ସଂଗଠନର ଲୋକ ଏବଂ ତାର ସମ୍ପର୍କୀୟ ଏହି  କମ୍ଲେକ୍ସରେ ରହୁଛନ୍ତି।

କୁହାଯାଉଛି ଏହି ମସଜିଦରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥାଏ। ଯେଉଁଥିରେ ଜୈଶର ବଡ଼ବଡ଼ ହସ୍ତୀ ସାମିଲ ହୋଇଥାନ୍ତି। ଏହାଛଡ଼ା ପ୍ରତି ଶୁକ୍ରବାର ମସୁଦର ଭାଇ ମୁଫତି ଅବଦୁଲ ଅଜଗର ଆତଙ୍କବାଦରେ ସାମିଲ ହେବାକୁ ଯୁବକଙ୍କୁ ପ୍ରୋତ୍ସାହିତ କରିଥାଏ।

Comment