ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଥର ପାଇଁ ପୁରୀରେ ସ୍ଥଳଭାଗ ଛୁଇଁବ ବାତ୍ୟା।

ପୁରୀ ଅଭିମୁଖେ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ପୁରୀଠାରୁ ୩୨୦ କିଲୋମିଟର ଦୂରରେ ଥିବା ‘ଫନି’ ଆସନ୍ତାକାଲି ସକାଳେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପ୍ରଥମ ଥର ପାଇଁ ବାତ୍ୟା ପୁରୀରେ ଲ୍ୟାଣ୍ଡଫଲ୍ କରୁଥିବାରୁ ସାରା ବିଶ୍ୱର ଆଖି ପୁରୀ ଉପରେ ରହିଛି।

ପୁରୀ ହେଉଛି ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପୁରୀ ସାରା ବିଶ୍ୱରେ ପ୍ରସିଦ୍ଧ। ମହାପ୍ରଭୁଙ୍କ ଦର୍ଶନ ଏବଂ ଏଠାରେ ଥିବା ସୁନ୍ଦର ବେଳାଭୂମିରେ ମଉଜ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଛୁଟି ଆସିଥାନ୍ତି। ହେଲେ ପୁରୀରେ ପ୍ରଥମ ଥର ପାଇଁ ସାମୁଦ୍ରିକ ଝଡ଼ ଫନି ଲ୍ୟାଣ୍ଡଫଲ୍ କରୁଥିବାରୁ ସମସ୍ତଙ୍କ ନଜର ପୁରୀ ଉପରେ ହିଁ କେନ୍ଦ୍ରୀଭୂତ ହୋଇଛି।

ପୁରୀରେ କ’ଣ ଅଛି ସ୍ଥିତି?

ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ଭିତରେ ପୁରୀ ନିକଟରେ ବାତ୍ୟା ଫନି ସ୍ଥଳଭାଗ ଛୁଇଁବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯାଇଛି। ହୋଟେଲମାନଙ୍କରେ ଥିବା ପର୍ଯ୍ୟଟକମାନଙ୍କୁ ପୁରୀ ଛାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ବାତ୍ୟା ସମୟରେ ଆଉ ବୁକିଂ ନକରିବା ପାଇଁ ହୋଟେଲ ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ପ୍ରଶାସନ।

ଏପଟେ ଫନି ପାଖେଇ ଆସୁଥିବାରୁ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ରରେ ଉଚ୍ଚ ଜୁଆର ଆସୁଛି। ଫଳରେ ସମୁଦ୍ର ପାଣି ଗୋଳିଆ ହୋଇଯାଇଥିବା ପରିଲକ୍ଷିତ ହୋଇଛି। ସମୁଦ୍ର ବେଳଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପୁରୀରେ ବର୍ଷା

ବାତ୍ୟା ‘ଫନି’ ପ୍ରଭାବରେ ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଛି। ବୁଧବାର ଦିନ ଝିପିଝିପି ବର୍ଷା ହୋଇଥିବା ବେଳେ ଗୁରୁବାର ବର୍ଷାର ପରିମାଣ ବୃଦ୍ଧି ପାଇଥିଲା। ତେବେ ଫନି ଯେତିକି ନିକଟତର ହେଉଛି ଲୋକଙ୍କ ମନରେ ଭୟ ବୃଦ୍ଧି ପାଉଛି। ଆଉ କିଛି ଲୋକ ଉତ୍ସୁକତାର ସହ ବାତ୍ୟାକୁ ଅପେକ୍ଷା କରିଛନ୍ତି।

ବାତ୍ୟା ଆଶ୍ରୟସ୍ଥଳରେ ଲୋକେ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଖାଲୁଆ ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। କେବଳ ପୁରୀରେ ୨୫ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି।

କେବଳ ପୁରୀ ସହର ନୁହେଁ, ଚନ୍ଦ୍ରାଭାଗା, ବ୍ରହ୍ମଗିରି, ଅସ୍ତରଙ୍ଗ ଆଦି ଅଞ୍ଚଳରେ ବି ଆଲର୍ଟ କରାଯାଇଛି। ଏସବୁ ଅଞ୍ଚଳରେ ଏନଡିଆରଏଫ୍ ଏବଂ ଓଡ୍ରାଫ ଟିମ୍ ସଜାଗ ହୋଇ ରହିଛନ୍ତି। ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି।

ପୋଲିସର ପଇଁତରା

ପୁରୀ ସହରରେ ପୋଲିସ ସଜାଗ ରହିଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସର ପାଟ୍ରୋଲିଂ ଜାରି ରହିଛି। ଡାକବାଜି ଯନ୍ତ୍ର ମାଧ୍ୟରେ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନତା ଜାରି ରଖିଛି। ଆସନ୍ତାକାଲି ସକାଳେ ଘରୁ ବାହାରକୁ ନବାହରିବା ପାଇଁ ସଜାଗ କରୁଛି ପ୍ରଶାସନ। ଏପଟେ ବଳିଆପଣ୍ଡା, ପେଣ୍ଠକଟା ବସ୍ତିରୁ ଲୋକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଜାରି ରହିଛି।

ପୁରୀବାସୀ ଭୟଭୀତ

ପୁରୀରେ ଦିନ ସାରା ବର୍ଷା ହୋଇଥିଲା। ଲଗାଣ ନହେଲେ ମଧ୍ୟ ବର୍ଷା ହୋଇଥିଲା। କିନ୍ତୁ ଏବେ ଜୋରରେ ବର୍ଷା ହେଉ ନଥିଲେ ମଧ୍ୟ ଝିପିଝିପି ବର୍ଷା ଲାଗି ରହିଛି। ଦିନ ତମାମ ବର୍ଷା ଯୋଗୁଁ ପୁରୀ ସହର ଜଳମଗ୍ନ ହୋଇ ଯାଇଥିଲା। ତେବେ ମଧ୍ୟରାତ୍ରୀରୁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଉଛି ପୁରୀରେ ପ୍ରଥମ ଥର ପାଇଁ ବାତ୍ୟା ଲ୍ୟାଣ୍ଡଫଲ୍ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି। ତେବେ ଆତଙ୍କିତ ନହେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଜଗନ୍ନାଥ ଭରସା

ପୁରୀରେ ପ୍ରଥମ ଥର ପାଇଁ ବାତ୍ୟା ଫନି ଲ୍ୟାଣ୍ଡପଲ୍ କରୁଛି। ପୁରୀ ସହର ପାଖାପାଖି ଲ୍ୟାଣ୍ଡଫଲ୍ କରୁଥିବାରୁ ବର୍ଷା ଏବଂ ପବନର ବେଗ ମଧ୍ୟରାତ୍ରୀରୁ ବଢ଼ିବାର ସମ୍ଭାବନା ରହିଛି। ଏହାସହ ଆଖପାଖ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଲୋକେ ଜଗନ୍ନାଥଙ୍କ ଉପରେ ଭରସା କରିଛନ୍ତି। ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ହାଲକା ପବନରେ ଶ୍ରୀମନ୍ଦିରର ପତିତପାବନ ବାନା ଉଡ଼ି ଯାଇଛି। ଗୋଟିଏପଟେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଲୋକେ ଜଗନ୍ନାଥଙ୍କୁ ନିଜକୁ ସମର୍ପଣ କରିଦେଇଛନ୍ତି। ଜଗନ୍ନାଥ ହିଁ ବାତ୍ୟା ଦାଉରୁ ଉଦ୍ଧାର କରିବେ ବୋଲି ଲୋକେ ଭରସା କରିଛନ୍ତି।

Comment