ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ବର୍ତ୍ତମାନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗକୁ ଅଗ୍ରସର ହେଉଛି ଏହି ଭୟଙ୍କର ସାମୁଦ୍ରିକ ବାତ୍ୟା। ଶୁକ୍ରବାର ସନ୍ଧ୍ୟାରେ ଏହା ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବାର ଆକଳନ କରାଯାଇଥିଲା। ତେବେ ଏହା ସକାଳ ୬ଟାରୁ ୧୦ ମଧ୍ୟରେ ଲ୍ୟାଣ୍ଡଫଲ କରାପାରେ ବୋଲି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ ବିଭାଗର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, “ଗୁରୁବାର ସକାଳ ୧୧ଟାରେ ବାତ୍ୟା ‘ଫନି’ ପୁରୀଠାରୁ ୩୬୦ କିଲୋମିଟର ଦୁରରେ ରହିଥିଲା। ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ‘ଫନି’ ବର୍ତ୍ତମାନ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି, ଯାହା ଶୁକ୍ରବାର ସକାଳ ୬ଟାରୁ ୧୦ ମଧ୍ୟରେ ଲ୍ୟାଣ୍ଡଫଲ କରାପାରେ।”

ସେ କହିଛନ୍ତି ଯେ, ‘ଫନି’ ସ୍ଥଳଭାଗକୁ ଛୁଇଁବା ସମୟରେ ଘଣ୍ଟାକୁ ପବନର ବେଗ ୧୭୦ରୁ ୧୮୦ କିଲୋମିଟର ରହିବ। ସ୍ଥଳ ବିଶେଷରେ ପବନର ବେଗ ୨୦୦ କଲୋମିଟର ହୋଇପାରେ। ଏହି ଝଡ଼ର ପ୍ରଭାବ ଗଞ୍ଜାମ ଓ ପୁରୀ ସହିତ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଉପରେ ରହିବ। ପ୍ରବଳ ବେଗରେ ପବନ ବହିବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ସମ୍ଭାବନା ରହିଛି।

ରାଜ୍ୟର ଅନ୍ୟ ଆଭ୍ୟନ୍ତରୀଣ ଜିଲ୍ଲା ଉପରେ ମଧ୍ୟ ଏହି ଝଡ଼ର ଆଂଶିକ ପ୍ରଭାବ ରହିବ।

Comment