ଓଡ଼ିଶାଲାଇଭ୍‌ ବ୍ୟୁରୋ

ପବନର ବେଗ ବଢ଼ିଲେ ରାଜ୍ୟରେ ବିଜୁଳି କଟିଦିଆଯିବ। ଏହି ସୂଚନା ଦେଇଛି ଶକ୍ତି ବିଭାଗ। ଭୟଙ୍କର ସାମୁଦ୍ରିକ ବାତ୍ୟା ‘ଫନି’ର ପ୍ରଭାବକୁ ନଜରରେ ରଖି ବିଭାଗ ଏହି ନିଷ୍ପତ୍ତି ନେଇଛି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ପବନର ବେଗ ୫୦ କିଲୋମିଟର ହେଲେ ବିଦ୍ୟୁତ୍‌ କାଟ୍‌ କରାଯିବ। ବଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ବିଦ୍ୟୁତ୍‌ କାଟ୍‌ ହେବ।

ବାତ୍ୟା ‘ଫନି’ ମୁକାବିଲା ପାଇଁ ଗୁରୁବାର ରାଜ୍ୟ ଶକ୍ତି ବିଭାଗ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି, “ଫନି ସ୍ଥଳ ଭାଗକୁ ଛୁଇଁବା ସମୟରେ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ ବହିବ। ଗଛ ଭାଙ୍ଗିବ, ଲାଇନ୍‌ ଖୁଣ୍ଟି ଉପୁଡ଼ି ପଡ଼ିବାର ସମ୍ଭାବନା ରହିଛି। ତେଣୁ ପବନର ବେଗ ୫୦ ଟପିଲେ ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ କରାଯିବ।

ଭୟଙ୍କର ରୂପ ନେଇ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ‘ଫନି’। ଶୁକ୍ରବାର ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ସାମୁଦ୍ରିକ ଝଡ଼ ‘ଫନି’। ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳରୁ ଲୋକମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯାଇଛି।

Comment