ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୁରୀରେ ୯୯ ମହାବାତ୍ୟା ପରିସ୍ଥିତିକୁ ବଳିଗଲା ଫନି
  • ବିଜୁଳି, ମୋବାଇଲ୍ ସେବା ଧୂଳିସାତ୍
  • ସମୁଦ୍ରକୂଳ ରାସ୍ତାରେ ଆଣ୍ଠୁଏ ଲେଖାଁଏ ବାଲି
  • ଅନେକ ମୃତାହତ, ଡାକ୍ତରଖାନାରେ ଝରକା କାଚ ଭାଙ୍ଗି ୧୮୦ ଆହତ
  • ସହରର ହଜାର ହଜାର ଘରର କାଚ ଝରକା ଚୁନା
  • କାଗଜ ପରି ଉଡ଼ିଲା ଆଜବେଷ୍ଟସ୍
  • ଛୋଟ ବ୍ୟାବସାୟିକ ପ୍ରତିଷ୍ଠାନ ଓ କ୍ୟାବିନ୍ ସମ୍ପୂର୍ଣ୍ଣ ପ୍ରଭାବିତ
  • ଓଡ଼ିଶାର ପର୍ଯ୍ୟଟନ ରାଜଧାନୀ ପୁରୀକୁ ଚିହ୍ନି ହେଉନାହିଁ

ଶ୍ରୀକ୍ଷେତ୍ର ପୁରୀକୁ ଚୁର୍‌ମାର୍ କରିଦେଇଛି ସାମୁଦ୍ରିକ ଝଡ଼ ଫନି। ଶୁକ୍ରବାର ଦିନ ସକାଳେ ଏହା ପୁରୀ ନିକଟରେ ଲ୍ୟାଣ୍ଡ୍ ଫଲ୍ କରିବା ଫଳରେ ପୁରୀ ସହର ସମେତ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଧ୍ୱଂସ୍ତ ବିଧ୍ୱଂସ୍ତ ହୋଇଯାଇଛି। ଏହି ଭୟଙ୍କର ବାତ୍ୟା ପ୍ରାୟ ୬ ଘଣ୍ଟା ଧରି ପୁରୀ ସହରରେ ଯେଉଁ ତାଣ୍ଡବ ସୃଷ୍ଟି କରିଥିଲା ସେଥିରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

ପୁରୀ ନିକଟରେ ଫନି ଲ୍ୟାଣ୍ଡ୍‌ ଫଲ୍ କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଥିଲେ। ହେଲେ ବାତ୍ୟାର ପ୍ରଭାବ ଯେ କେତେ ଭୟଙ୍କର ହେବ ପୁରୀବାସୀ କଳନା କରିନଥିଲେ। ଏପରିକି କେତେକ ଲୋକ ବାତ୍ୟାର ପୂର୍ବାନୁମାନକୁ ଯେତିକି ଗମ୍ଭୀରତାର ସହ ନେବା କଥା ନେଇନଥିଲେ। ତେବେ ଫନି ସମସ୍ତଙ୍କୁ ଚମକାଇ ସବୁ ଆକଳନକୁ ଅତିକ୍ରମ କରିଯାଇଛି।

ଶୁକ୍ରବାର ଦିନ ସକାଳ ପ୍ରାୟ ୮ଟାରୁ ଫନିର ତାଣ୍ଡବ ପୁରୀ ଏବଂ ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ଆରମ୍ଭ ହୋଇଥିଲା। ସକାଳ ୯ଟା ୩୦ ସମୟରେ ଏହା ଉଗ୍ରରୂପ ଧାରଣ କରିଥିଲା। ପ୍ରଥମେ ଘଣ୍ଟା ପ୍ରତି ୭୦/୮୦ କିମି ବେଗରେ ପବନ ବୋହିବା ଆରମ୍ଭ ହୋଇଥିଲେ ମଧ୍ୟ ଏହା ବଢ଼ି ପ୍ରାୟ ୨୦୦ କିଲୋମିଟର ଛୁଇଁଥିଲା।

ପୁରୀ ସମୁଦ୍ର ବାତ୍ୟା ପୂର୍ବରୁ ଅଶାନ୍ତ ହୋଇଥିଲା। ବାତ୍ୟାର ପ୍ରଭାବରେ ଉଚ୍ଚ ଜୁଆର ଉଠିବା ସହ ଢେଉର ପ୍ରଭାବ ବଢ଼ିଥିଲା। ପୁରୀ ସମୁଦ୍ର କୂଳରେ ପ୍ରବଳ ଢେଉ ଏବଂ ପବନ ଯୋଗୁଁ ସମୁଦ୍ର ବାଲି ଉଡ଼ି ଆସି ରାସ୍ତାରେ ଗଦା ହୋଇ ରହିଛି। ଏହା ଫଳରେ ଶନିବାର ସକାଳ ପର୍ଯ୍ୟନ୍ତ ସେହି ସବୁ ରାସ୍ତାରେ ଯିବାଆସିବା ଅସୁବିଧା ହୋଇଛି।

ବାତ୍ୟା ପ୍ରଭାବରେ ପୁରୀ ସହରର ଅଧିକାଂଶ ଘର ଏବଂ ବ୍ୟାବସାୟିକ ପ୍ରତିଷ୍ଠାନର କାଚ ଝରକା, କବାଟ ଚୁର୍‌ମାର୍‌ ହୋଇଯାଇଛି। ଏପରିକି କେତେକ ଲୋକଙ୍କ ଘରର କାଠ ଝରକା ଓ କବାଟ ମଧ୍ୟ ଭାଙ୍ଗିଯାଇଛି। ସହରର ଅଧିକାଂଶ ଆଜବେଷ୍ଟସ୍ ସମ୍ପୂର୍ଣ୍ଣ ଉଡିଯାଇଛି। ସୋସିଆଲ୍ ମିଡ଼ିଆରେ ଚାଲିଥିବା ଏକ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ପୁରୀ ନିକଟରେ ଥିବା ଏକ ବିରାଟ କମର୍ସିଆଲ୍ ସେଡ଼ର ଆଜବେଷ୍ଟସ୍ କିଭଳି କାଗଜ ଭଳି ପବନରେ ଉଡ଼ିଯାଉଛି।

ପୁରୀ ସହରର ବିଭିନ୍ନ ସ୍ଥାନରେ ଓ ବଡ଼ ଦାଣ୍ଡରେ ଥିବା ପ୍ରାୟ ସମସ୍ତ ହୋର୍ଡ଼ିଂ ନଷ୍ଟ ହୋଇଯାଇଛି। ଅନେକ ଜାଗାରେ ହୋର୍ଡିଂର ଶକ୍ତିଶାଳୀ ଲୁହା ଫ୍ରେମ୍ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ବଡ଼ଦାଣ୍ଡ ଦେଖିଲେ ବିଶ୍ୱାସ କରିହେଉନାହିଁ।

ବାତ୍ୟା ଫନି ପୁରୀରେ ଲ୍ୟାଣ୍ଡ କରିବ ବୋଲି ଯେବେଠାରୁ ସୂଚନା ଆସିଲା ସମସ୍ତଙ୍କ ନଜର ଆସିଲା ଶ୍ରୀମନ୍ଦିର ଉପରେ। ଗୁରୁବାର ଦିନ ପ୍ରବଳ ପବନ ବହିବା ଫଳରେ ନୀଳଚକ୍ରରୁ ପତିତପାବନ ବାନା ଉଡ଼ିଯାଇଥିଲା। ଶୁକ୍ରବାର ବାତ୍ୟାରେ ମନ୍ଦିରର କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। ତେବେ ମନ୍ଦିର ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନଥିବାରୁ ଆଗାମୀ ଶନିବାର ଏବଂ ରବିବାର ସୁଦ୍ଧା ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ଚିତ୍ର ଗଣମାଧ୍ୟମକୁ ଆସିଯିବ।

ପୁରୀରେ ଏନଡିଆରଏଫ ଟିମ୍ ରାସ୍ତାରୁ ଗଛ ହଟାଇଛନ୍ତି। ହେଲେ ଚିତ୍ର ସମ୍ପୂର୍ଣ୍ଣ ବଦଳିନି। ପୁରୀରେ ପରିସ୍ଥିତି ସ୍ୱାଭାବିକ ହେବା ପାଇଁ ଆହୁରି ଦୁଇ ତିନି ଦିନ ଲାଗିବ।

ପୁରୀ ଜିଲ୍ଲାରେ ବାତ୍ୟାର ପ୍ରଭାବରେ କେତେକ ମୃତାହତଙ୍କ ଖବର ମଧ୍ୟ ଆସିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨ ଜଣ ମୃତ୍ୟୁବରଣ କରିଥିବାର ଖବର ଆସିଥିଲା। ସେମାନେ ହେଲେ ପୁରୀ ଦୋଳମୁଣ୍ଡେଇ ସାହିର ୧୪ ବର୍ଷୀୟ ରାକେଶ ବେହେରା। ଆଉ ଜଣେ ହେଲେ ମାଳତୀପାଟପୁର ତାଳଜଙ୍ଗାର ୬୫ ବର୍ଷୀୟା ଅନ୍ନପୁର୍ଣ୍ଣା ଜେନା।

ପୁରୀ ହସ୍ପିଟାଲ୍‌ରେ ଶୁକ୍ରବାର ଦିନ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଥିଲା। ବିଶେଷକରି ମା’ ଓ ଶିଶୁ ସୁରକ୍ଷା ୱାର୍ଡରେ ଥିବା କାଚ ଝରକାଗୁଡ଼ିକ ପବନ ମାଡ଼ରେ ଚୁନା ହୋଇଯାଇଥିଲା। ଫଳରେ ସେଠାରେ ଥିବା ମା’, ଶିଶୁ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ୧୮୦ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଅନେକ ଲୋକଙ୍କ ଦେହରେ କାଚ ପଶିଯିବା ଫଳରେ ସେମାନେ ଆହତ ହୋଇଛନ୍ତି। ସେମାନଙ୍କୁ ପରବର୍ତ୍ତୀ ସମୟରେ ଡାକ୍ତରଖାନାର ଅନ୍ୟ ସ୍ଥାନକୁ ନିଆଯାଇଥିଲା।

ଓଡ଼ିଶାର ପର୍ଯ୍ୟଟନ ରାଜଧାନୀ ଭାବରେ ପରିଚିତ ପୁରୀ ସହରର ଅନେକ ହୋଟେଲ୍ ବାତ୍ୟାରେ ପ୍ରଭାବିତ ହୋଇଛି। ଆଗାମୀ ଦିନରେ ଏହା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଉପରେ ବିଶେଷ ପ୍ରଭାବ ପକାଇବାକୁ ଯାଉଛି।

ପୁରୀ ସହରର ବଡ଼ଦାଣ୍ଡ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଛୋଟ ଛୋଟ ଦୋକାନ ଭାଙ୍ଗି ଚୁର୍‌ମାର୍ ହୋଇଯାଇଛି। ଫଳରେ ଶହ ଶହ ପରିବାରର ଜୀବିକା ଉଜୁଡ଼ି ଯାଇଛି।

ପୁରୀ ଜିଲ୍ଲାପାଳଙ୍କ ଘର ଓ ଆବାସିକ କାର୍ଯ୍ୟାଳୟ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଛି। ଏହି କୋଠାର ଆଜବେଷ୍ଟସ୍ ଉଡ଼ିଯାଇଛି।

ବାତ୍ୟାର ପ୍ରଭାବ ପୁରୀର ସମୁଦ୍ର କୂଳରେ ଥିବା ପେଣ୍ଠକଟା, ନୋଳିଆ ବସ୍ତି ଏବଂ ବଳିଆ ପଣ୍ଡା ବସ୍ତି ଉପରେ ପଡ଼ିଛି। ଯଦିଓ ଏହିସବୁ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ତେବେ ଶହ ଶହ ଲୋକଙ୍କ ଘର ଉଜାଡିଦେଇଛି ଫନି।

୧୯୯୯ ମହାବାତ୍ୟା ବେଳେ ପୁରୀ ସହର ଉପରେ ଏହାର ପ୍ରଭାବ ରହିଥିଲା। ସେତେବେଳେ ପ୍ରବଳ ବେଗରେ ଝଡ଼ ବାତ୍ୟା ହେବା ଫଳରେ ପୁରୀ ଏବଂ ଆଖପାଖ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥିଲା। ତେବେ ୨୦୧୯ର ବାତ୍ୟା ୯୯କୁ ଟପିଯାଇଛି। ଫନିର ପ୍ରଭାବରେ ପୁରୀ ସହର ଏବଂ ଜିଲ୍ଲା କେତେ ମାତ୍ରାରେ ପ୍ରଭାବିତ ହୋଇଛି ଏବଂ ଆଗାମୀ କେତେ ଦିନ ମଧ୍ୟରେ ଭରଣା କରାଯାଇପାରିବ ତାହା କହିବା ସମ୍ଭବପର ନୁହେଁ।

ଫନି ପୁରୀ ସହରକୁ ଯେଉଁଭଳି ଭାବେ ଦୋହଲାଇ ଦେଇଗଲା ତାହା ପୁରୀବାସୀଙ୍କ ମନରେ ଛନକା ଆଣିଦେଇଛି। ଏହି ଧକ୍କା କେହି ସାରା ଜୀବନ ହୁଏତ ଭୁଲିବେ ନାହିଁ।

Comment