ଓଡ଼ିଶାଲାଇଭ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନି ପରେ ଧିରେ ଧିରେ ଅଣ୍ଚା ସଳଖୁଛି ରାଜଧାନୀ ଭୁବନେଶ୍ୱର। ମାତ୍ର ଫନି ଭୁବନେଶ୍ୱର ସୌନ୍ଦର୍ଯ୍ୟକୁ ଯେମିତି ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ଅନ୍ୟପଟେ ଫନି ପରଦିନଠୁ ରାଜ୍ୟରେ ଗ୍ରୀଷ୍ଣର ପ୍ରକୋପ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ରାସ୍ତାରେ ଯିବା ଆସିବା କରୁଥିବା ଲୋକ ଟିକେ ଥକା ମେଣ୍ଟାଇବା ଲାଗି ଅନେକ ହଇରାଣ ହେଉଥିବା ପରିଲକ୍ଷିତ ହୋଇଛି।

ବାତ୍ୟା ଫନି ପରେ ରାଜଧାନୀରେ ଅଧାରୁ ଅଧିକ ଗଛ ଉପୁଡ଼ିଯାଇଛି। ସକାଳ ହେଲେ ଯେଉଁ ସ୍ଥାନମାନଙ୍କରେ ଲୋକଙ୍କ ଗହଳି ଲାଗିଥାଏ ସେହି ସ୍ଥାନ ମଧ୍ୟ ଗଛ ଶୂନ୍ୟ।

ରାଜଧାନୀ ଗଛ ଶୂନ୍ୟ ହେବାପରେ କେମିତି ରହିଛି ଭୁବନେଶ୍ୱରର ଚିତ୍ର ତାହାର ସ୍ଥିତି ପରଖିଥିଲା ଓଡ଼ିଶାଲାଇଭ ଟିମ୍। ଫନିପରେ ବାଟୋଇ ତଥା ସାଧାରଣଲୋକଙ୍କ ପାଇଁ ଭରସା ପାଲଟିଛି ବାକିଥିବା ଗଛତଳ।

ଯେଉଁଠି କାଁ ଭାଁ କୋତୋଟି ଗଛ ରହିଛି ସେଠାରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି। ପଥିକଟେ ରାସ୍ତାରେ ଯାଉଥିବା ବେଳେ ଗଛ ତଳେ ଥକା ମେଣ୍ଟାଉଛି।

ଲୋକଙ୍କ କହିବା କଥା ”କରେଣ୍ଟ ନାହିଁକି ପାଣି ନାହିଁ। ତଥାପି ଘରେ ଚଳିବାକୁ ହେଲେ ବାହାରକୁ ବାହାରିବା ନିହାତି ଆବଶ୍ୟକ। ଏ ଯେଉଁ ଖରା, ଅଧିକ ଚାଲିବା ବି ସମ୍ଭବ ହେଉନି। ତେଣୁ ଏହି ଗଛ ତଳ ଆମ ଭରସା ପାଲଟିଛି।”

ତେବେ କେବେ ସବୁ ସମସ୍ୟା ଦୂର ହେବ ରାଜଧାନୀବାସିଙ୍କ ଜୀବନ ପୁଣି ପୂର୍ବପରି ହୋଇପାରିବ ଓ ଭୁବନେଶ୍ୱର ହରାଇଥିବା ତାର ସୌନ୍ଦର୍ଯ୍ୟକୁ ଫେରିପାଇବା ତାହାକୁ ହିଁ ଅପେକ୍ଷା ସମସ୍ତଙ୍କର।

Comment