ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ଓଡ଼ିଶାରେ ରଚିଛି ତାଣ୍ଡବ। ଫନିର କରାଳ ରୂପରେ ଦେଢ଼ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କର ଅଧିକ କ୍ଷତି ହୋଇଛି। ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, କେନ୍ଦ୍ରପଡ଼ା ଆଦି ଅଞ୍ଚଳରେ ଅଧିକ କ୍ଷତି ହୋଇଛି।

ଗତ ୫ ଦିନ ହେଲା ଭୁବନେଶ୍ୱରରେ ଅନେକ ଅଞ୍ଚଳ ଅନ୍ଧାରରେ ରହିଛି। ଲୋକଙ୍କ ପାଖରେ କରେଣ୍ଟ ନାହିଁ, ପାଣି ନାହିଁ, ମୋବାଇଲରେ ଇଣ୍ଟରନେଟ ନାହିଁ। ଯାହାପରେ ଲୋକଙ୍କ ସମସ୍ୟା ଯେମିତି ଦୁଇଗୁଣ ହୋଇଯାଇଛି।

କିଛିକିଛି ଅଞ୍ଚଳରେ ୫ ଦିନପରେ ଅଳ୍ପ କିଛି କରେଣ୍ଟ ପହଞ୍ଚି ପାରିଛି। ମାତ୍ର ଏବେବି ଅନେକ ଅଞ୍ଚଳ ଅନ୍ଧାରରେ ଅଛି।

ଏବେ ରାଜଧାନୀରେ ସଭିଁଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଲାଇନ କେବେ ଆସିବ। ଯେତେବେଳେ ଲୋକମାନେ ଏହି ପ୍ରଶ୍ନ ପଚାରୁଛନ୍ତି ସେତେବେଳେ ଲୋକଙ୍କ ମୁହଁରେ ଯେମିତି ଉତ୍ତର ଖୁବଶୀଘ୍ର ଶୁଣିବାକୁ ଇଛା। ମାତ୍ର ବାସ୍ତବରେ କରେଣ୍ଟ କେବେ ଆସିବ ତାହାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ।

ଗୋଟିଏ ପଟେ ଫନି ଦ୍ୱାରା ଅନ୍ଧାର ତ ଅନ୍ୟପଟେ ଲୋକଙ୍କ କଷ୍ଟକୁ ଦୁଇଗୁଣ କରିଛି ଖରା ଗରମ ଓ ଗୁଳୁଗୁଳି। ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି।

ଲୋକେ ଗରମରୁ ନିସ୍ତାର ପାଇବା ଲାଗି ବଜାରରେ ବିଭିନ୍ନ ଚାଇନା ସାମଗ୍ରୀ ବିକ୍ରି ହେଉଥିବା ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି। ବିଶେଷକରି ଟର୍ଚ୍ଚ ଲାଇଟ୍ ଓ ବିଞ୍ଚଣା ପାଇଁ ଲୋକଙ୍କ ଗହଳି ଲାଗୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏଥିରେ ବ୍ୟବସାୟୀମାନଙ୍କର ବି ଭଲ ବେପାର ବଢ଼ିବାରେ ଲାଗିଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନାନୁସାରେ ଆନ୍ଧ୍ର, ପଶ୍ଚିମବଙ୍ଗରୁ ପାଖାପାଖି ୫ ହଜାରରୁ ଅଧିକ କୁଶଳୀ କର୍ମଚାରୀ ଆସିବେ। ସେମାନେ ଆସିବାପରେ କାମ ଆହୁରି ଶ୍ରୀଘ୍ର ହେବ। ପଶ୍ଚିମବଙ୍ଗର ଦୁର୍ଗାପୁରରୁ ବିଦ୍ୟୁତ ଖୁଣ୍ଟ ଆସିବାନେଇ ସୂଚନା ମିଳିଛି। ତେବେ କେବେ ସୁଦ୍ଧା ବିଜୁଳି ଆସିବ ତାହାର ଉତ୍ତରକୁ ଏବେ ବି ଅପେକ୍ଷା କରିଛନ୍ତି ସମସ୍ତେ।

Comment