ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୟ ଆଣିଲେ ଅଭିଯୋଗ। କହିଲେ ନିର୍ବାଚନ ତାରିଖ ଘୁଞ୍ଚାଇବା ପାଇଁ ବିଜେଡି କରିଛି ଷଡ଼ଯନ୍ତ୍ର।

‘‘ଷଡ଼ଯନ୍ତ୍ର କରି ପାଟକୁରା ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦେଇଛି ବିଜେଡି। ନିର୍ବାଚନ କମିଶନଙ୍କୁ ବିଜେଡି ଯେଉଁ ରିପୋର୍ଟ ଦେଇଛି ତାହା ସାର୍ବଜନୀନ କରାଯାଉ’’, ଏହା ହେଉଛି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବୟାନ।

ବାତ୍ୟା ‘ଫନି’ର ପରବର୍ତ୍ତୀ ସ୍ଥିତିକୁ ନେଇ ପାଣିପାଗ ଉଷ୍ମ ରହିଥିବା ବେଳେ ବିଜୟ ମହାପାତ୍ରଙ୍କ ଏହି ବୟାନ ରାଜ୍ୟ ରାଜନୀତିକୁ ପୁଣିଥରେ ସରଗରମ କରିଦେଇଛି।

ପାଟକୁରା ନିର୍ବାଚନ ତାରିଖକୁ ନିର୍ବାଚନ କମିଶନ ୬୦ ଦିନ ଘୁଞ୍ଚାଇ ଦେଇଛନ୍ତି। ବାତ୍ୟା ଫନି ପାଇଁ ଏହି ତାରିଖ ଘୁଞ୍ଚିଛି। ହେଲେ କେବେ ହେବ ନିର୍ବାଚନ ସେନେଇେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନି। ଇତି ମଧ୍ୟରେ ଫନି ଉପକୂଳ ଓଡ଼ିଶରେ ତାଣ୍ଡବ କରି ଚାଲି ଯାଇଛି। ବାତ୍ୟା ଭିତରେ ପାଟକୁରା କଥା ସମସ୍ତେ ଭୁଲି ଯାଇଥିଲେ।

କିନ୍ତୁ ବାତ୍ୟା ଚାଲିଯିବା ପରେ ଏବେ ପୁଣି ଥରେ ତାଜା ହୋଇଛି ପାଟକୁରା ରାଜନୀତି। ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ବିଜେଡି ସମରସଜ୍ଜା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିବା ଫଟୋ।

ଅନୁଭବ ପୋଷ୍ଟ କରିଥିବା ଫଟୋ ହେଉଛି ମେ’ ୬ ତାରିଖର। ଏହିଦିନ ପାଟକୁରାରେ ଏକାଠି ହୋଇଥିଲେ ବିଜେଡିର କିଛି ତୁଙ୍ଗ ନେତା। ଏମାନଙ୍କ ଭିତରେ ଥିଲେ ନୟାଗଡ଼ ବିଧାୟକ ଅରୁଣ ସାହୁ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜେଡିର ନେତା ରଘୁନନ୍ଦନ ଦାସ, ସଞ୍ଜିବ ମଲ୍ଲିକ ଏବଂ ନିଜେ ଅନୁଭବ।

ପାଟକୁରାର ଏକ ହୋଟେଲରେ ଏମାନେ ଏକାଠି ହୋଇ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ। ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି। ଆଉ ଏହାରି ଭିତରେ ବିଜୟ ମହାପାତ୍ର ବାଣ ମାରିଛନ୍ତି। ନିର୍ବାଚନ ତାରିଖକୁ କାହିଁକି ଘୁଞ୍ଚାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ପାଟକୁରା ନିର୍ବାଚନ ତାରିଖ ମେ’ ୧୯କୁ ଘୁଞ୍ଚିଥିଲା। ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ସାବିତ୍ରୀ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ହେଲେ ବାତ୍ୟା ଫନି ପାଇଁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲା ବିଜେଡି। ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଯାଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ଟିମ ମଧ୍ୟ ନିର୍ବାଚନ କମିଶନଙ୍କୁ ଭେଟି ପାଟକୁରା ନିର୍ବାଚନ ତାରିଖ ନଘୁଞ୍ଚାଇବାକୁ ଦାବି କରିଥିଲେ।

ହେଲେ ଏସବୁ ଭିତରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ନିର୍ବାଚନ କମିଶନ। ଏହାରି ଭିତରେ ବିଜେପି-ବିଜେଡି ଭିତରେ ଛକାପଞ୍ଝା ଆରମ୍ଭ ହୋଇଛି। ବିଜେଡି ପାଟକୁରା ପାଇଁ ଅଙ୍କ କଷିବା ଆରମ୍ଭ କରିଥିବା ବେଳେ ବିଜୟ ବିଜେଡିକୁ ଟାର୍ଗେଟ କରିଛନ୍ତି।

Comment