ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଫନି’ର ମୁକାବିଲାକୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର।
‘ଫନି’ ପୀଡ଼ିତଙ୍କ ପାଇଁ ଏଚଡିଏଫସି ବ୍ୟାଙ୍କ ଦେଲା ୧୦ କୋଟି
ବାତ୍ୟା ଫନି ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିବାରୁ ବିଭିନ୍ନ ମହଲରୁ ସହାୟତାର ସୁଅ ଛୁଟୁଛି। ଏହି କ୍ରମରେ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ବାତ୍ୟା ପୀଡ଼ିତଙ୍କ ପାଇଁ ୧୦ କୋଟି ଟଙ୍କା ଦିଆଯାଇଛି। ବ୍ରାଞ୍ଚର ବ୍ୟାଙ୍କିଂ ହେଡ୍ ସନ୍ଦୀପ ଏସ୍ କୁମାର ଏବଂ ଆଞ୍ଚଳିକ ମୁଖ୍ୟ ରାକେଶ ଶ୍ରୀବାସ୍ତବ ଓ ଡେପୁଟି ଭାଇସ୍ ପ୍ରେସିଡେଣ୍ଟ ଅନିମେଶ ବିଶ୍ୱାଳ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୦ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଶିଖ୍ ସମ୍ପ୍ରଦାୟ
ପ୍ରଳୟଙ୍କରୀ ବାତ୍ୟା ଫନି ଛଡ଼ାଇ ନେଇଛି ଅନେକ ଧନ ଜୀବନ। ନଷ୍ଟ ହୋଇଯାଇଛି ଅନେକ ଘରଦ୍ୱାର। କ୍ଷତିର ମାତ୍ରା ଏତେ ଅଧିକ ଯେ ଏହାର ପରିକଳ୍ପନା ଅସମ୍ଭବ। ଏହି ସମୟରେ ବାତ୍ୟା ପ୍ରଭାବିତ ଲୋକଙ୍କ ସୁବିଧା ଓ ଅସୁବିଧାରେ ଛିଡ଼ା ହୋଇଛନ୍ତି ଭୁବନେଶ୍ୱରସ୍ଥିତ ଗୁରୁଦ୍ୱାର ସିଂହ ସଙ୍ଗଠନ। ବାତ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି ଶିଖ୍ ସମ୍ପ୍ରଦାୟ ଲୋକେ।
କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
‘‘ବାତ୍ୟା ଫନି କେନ୍ଦ୍ରାପଡ଼ା ଜିଲ୍ଲାର ୩ ଜଣଙ୍କ ଜୀବନ ନେଇଛି। ବାତ୍ୟା ଆସିବା ପୂର୍ବରୁ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ବାତ୍ୟା ବେଳେ ଜିଲ୍ଲା ପ୍ରଶାସନର ଉଦ୍ୟମ ପ୍ରଶଂସନୀୟ’’। କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ସ୍ଥିତି ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ରବିବାର ବଡ଼ଦାଣ୍ଡରେ ଆସିବ କରେଣ୍ଟ, ମେ’ ୧୫ ପରେ ବ୍ୟାଙ୍କ ସେବା
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବାତ୍ୟା ଫନି ପରବର୍ତ୍ତି ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି। “୧୨ତାରିଖ ସୁଦ୍ଧା ପୁରୀ ବଡ଼ଦାଣ୍ଡକୁ ବିଦ୍ୟୁତ ସଂଯୋଗ ଦିଆଯିବ। ୧୫ ପରେ ପୁରୀ ଓ କୋଣାର୍କରେ ବ୍ୟାଙ୍କସେବା ଲୋକମାନଙ୍କୁ ଯୋଗାଇ ଦିଆଯିବ। ବ୍ୟାଙ୍କ ଓ ଇଣ୍ଟରନେଟ ସୁବିଧା ନଥିଲେ ବି ବ୍ୟାଙ୍କସେବା ଚାଲୁ ରଖିବାକୁ ନିର୍ଦ୍ଦେଶ ରହିଛି।”
ପୁରୀରେ ସ୍ୱଭାବିକ ହେଉଛି ଟ୍ରେନ ଚଳାଚଳ
ବାତ୍ୟା ପରେ ଧୀରେ ଧୀରେ ସ୍ଥିତି ସୁଧାରିବାକୁ ପ୍ରୟାସ ଚାଲିଛିା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଧୀରେ ଧୀରେ ରେଳସେବା ସ୍ୱାଭାବିକ ହେଉଛିା ଫନିର ୬ ଦିନ ପରେ ପୁରୀରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛିା ଗତ ୨ଦିନ ଧରି ଖୋର୍ଦ୍ଧା ରୋଡରୁ ପୁରୀକୁ ପରୀକ୍ଷାମୂଳକ ଭାବେ ଟ୍ରେନ ଚାଲିଥିଲା। ବୁଧବାର ସନ୍ଧ୍ୟାରେ ପୁରୀରୁ ୩ ଟି ଏକ୍ସପ୍ରେସ ଚାଲିଥିଲା।
କେନ୍ଦ୍ରର ସାହାଯ୍ୟ ଲୋଡ଼ିଲା ଓଡ଼ିଶା
ବାତ୍ୟା ‘ଫନି’ ଜନିତ କ୍ଷୟକ୍ଷତିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିନରାତି ଉଦ୍ୟମ ଚାଲିଥିବା ବେଳେ ପୁରୀ,ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଯେଉଁ ଭିତ୍ତିଭୂମି ନଷ୍ଟ ହୋଇଛି ତାହାକୁ ରାସ୍ତାକୁ ଆଣିବା ପାଇଁ କେନ୍ଦ୍ରର ତୁରନ୍ତ ସାହାଯ୍ୟ ଲୋଡିଛନ୍ତି ଓଡିଶା ସରକାର। ବିଶେଷ କରି ବିଦ୍ୟୁତ ଖୁଣ୍ଟ ଗୁଡ଼ିକୁ ଉଠାଇବା ସହ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସକାଶେ ସାହାଯ୍ୟ କରିବାକୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
ବାତ୍ୟା ପ୍ରଭାବିତ ଅଞ୍ଚଳରେ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ ବ୍ୟାଙ୍କ
ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳରେ ଅପରାହ୍ଣ ୪ଟା ବଦଳରେ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ ବ୍ୟାଙ୍କ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଗ୍ରାହକମାନେ ସନ୍ଧ୍ୟା ୬ଟା ଯାଏଁ ବ୍ୟାଙ୍କିଙ୍ଗ୍ ସୁବିଧା ପାଇ ପାରିବେ।
ଶ୍ରୀମନ୍ଦିର ପୁନରୁଦ୍ଧାର ପାଇଁ ଇଣ୍ଡିଆନ ଅଏଲ ବଢ଼ାଇଲା ସହାୟତାର ହାତ
ବାତ୍ୟା ‘ଫନି’ରେ ପୁରୀ ସହରରେ ବ୍ୟାପକ କ୍ଷତି ହୋଇଛି। ତେବେ ଏଥିରୁ ବାଦ୍ ପଡ଼ି ନଥିଲା ଶ୍ରୀମନ୍ଦିର। ବାତ୍ୟା ଫନିରେ ଶ୍ରୀମନ୍ଦିରର ବ୍ୟାପକ କ୍ଷତି ହୋଇଛି। ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ପୁରୀକୁ ପଠାଯିବ ମୋବାଇଲ ଏଟିଏମ୍
ବାତ୍ୟା ‘ଫନି’ ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ। ପୁରୀ ୫୦ ବର୍ଷ ତଳକୁ ଫେରି ଯାଇଛି। ଏଠି ବିଜୁଳି କେବେ ଆସିବ ତାହା କହି ହେଉନି। ବିଜୁଳି ନଥିବାରୁ ବ୍ୟାଙ୍କସେବା ପୂରା ଠପ୍ ହୋଇଯାଇଛି। ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପୁରୀକୁ ମୋବାଇଲ ଏଟିଏମ୍ ପଠାଇବା ପାଇଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

















