ଓଡ଼ିଶାଲାଇଭ୍ ବ୍ୟୁରୋ
ଫନି ରଚିଛି ତାଣ୍ଡବ। ଏହା ଦ୍ୱାର ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏପରି ଏକ ଅସମୟରେ ବନ୍ୟା ବିପନ୍ନଙ୍କ ଲାଗି ଏକାଠି ହୋଇଛନ୍ତି କିଛି ସାମାଜିକ ଅନୁଷ୍ଠାନ ଓ ବୁଦ୍ଧିଜୀବୀ। ସେମାନେ ଫନି ମୁକାବିଲା ଲାଗି ସିଭିଲ ସୋସାଇଟି ସାଇକ୍ଲୋନ (ଫନି ମୁକାବିଲା ସମୂହ) ନାମରେ ଏକ ସମୂହ ଗଠନ କରିଛନ୍ତି। ଏଥିରେ ବିଭିନ୍ନ ସୋସାଇଟି ଓ ସ୍ୱେଛାସେବୀ ସଂଗଠନ ଏକାଠି ହୋଇଛନ୍ତି।
ଏହି ସମୂହରେ ୩୦ରୁ ଅଧିକ ସ୍ୱେଛାସେବୀ ଅନୁଷ୍ଠାନ ଏକତ୍ରିତ ହୋଇ ଫନି ପ୍ରଭାବିତ ଅଞ୍ଚଳରେ ବିପନ୍ନଙ୍କୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି। ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମଧ୍ୟ ସାମିଲ ହୋଇଛନ୍ତି।
ପାଣିର ସମସ୍ୟା ଦୂର କରିବା ଲାଗି ଟାଟା ଟ୍ରଷ୍ଟର ସହଯୋଗରେ ଆରୋ ପ୍ଲାଣ୍ଟ ମାଧ୍ୟରେ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଛି। ଏଭଳି ୩ଟି ପ୍ଲାଣ୍ଟ ଟାଟା ଟ୍ରଷ୍ଟ ଯୋଗାଇ ଦେଇଛି। ସେଥିମଧ୍ୟରୁ ୨ଟି ଗ୍ରାମାଞ୍ଚଳ ଓ ଗୋଟିଏ ରାଜଧାନୀ ଭୁବନେଶ୍ୱରରେ ଥିବା ବସ୍ତିବାସିନ୍ଦାଙ୍କୁ ପାଣି ଯୋଗାଇ ଦିଆଯାଉଛି।
ଏହି ସମୂହଗୁଡ଼ିକ ପୁରୀ ସଦର, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ଗୋପ, ପିପିଲି, ସତ୍ୟବାଦୀ, ଡେଲାଙ୍ଗ, ନିମାପଡ଼ା, କାକଟପୁର, ଜଟଣୀ ଭଳି ଅଞ୍ଚଳରେ ଲୋକଙ୍କୁ ସହଯୋଗ କରୁଛନ୍ତି।
CYSDର ପ୍ରତିଷ୍ଠାତା ଜଗଦାନନ୍ଦ କହିଛନ୍ତି ‘’ସରକାର, ସାମାଜିକ ସଂଗଠନ, କର୍ପୋରେଟ ଓ ସାଧାରଣ ଲୋକ ଯଦି ଏହି ସମୟରେ ଏକାଠି ହୋଇ କାମକରିବେ ତେବେ ନିଶ୍ଚିତ ଭାବେ ଫନି ପାଇଁ ଉପୁଜିଥିବା ପରିସ୍ଥିତିର ମୁକାବିଲା କରିପାରିବ।’’
ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କରିବା ଲାଗି କନ୍ଧମାଳ ଓ ମୟୂରଭଞ୍ଜରୁ ଅନେକ ଯୁବକ ଆସି ଆମ ସହ ସାମିଲ ହୋଇଛନ୍ତି।
ଏହି ଅନୁଷ୍ଠାନର ବ୍ୟକ୍ତିମାନେ ବିଭିନ୍ନ ଗ୍ରୁପ ହୋଇ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।


















