ଓଡ଼ିଶାଲାଇଭ ବ୍ୟୁରୋ

(ସତ୍ୟବାଦୀରୁ ସିତାଂଶୁ ସୁତାରଙ୍କ ରିପୋର୍ଟ) “ଘର କହିଲେ ଏଇ ବଖରାଏ ଘର ଥିଲା। ଯେଉଁଠି ମୁଁ ଖରାବର୍ଷାରେ ମୁଣ୍ଡ ଗୁଞ୍ଜିଥାଏ। କିନ୍ତୁ ଏ ବାତ୍ୟା ଫନି ମୋ ଘରଦ୍ଵାର ସବୁକିଛି  ନେଇଯାଇଛି। ମୋ ସଂସାର ଉଜୁଡ଼ିଯାଇଛି। ଏବେ ମୋ ପୁଅ ବୋହୂକୁ ନେଇ ମୁଁ କୁଆଡ଼େ ଯିବି, କଣ କରିବି। ମତେ କିଛି ବୁଦ୍ଧିବାଟ ଦିଶୁନି।” ଏ ଶବ୍ଦ ହେଉଛି ସେହି ଅସହାୟ ବୃଦ୍ଧାଙ୍କ ଯିଏ ବାତ୍ୟା ଫନିରେ ନିଜ ଘରଦ୍ୱାରା ହରେଇ ବସିଛନ୍ତି।

ବୃଦ୍ଧାଙ୍କ ବୟସ ୬୦ ଉପରେ ନାଁ ଲକ୍ଷ୍ମୀ ଚୌଧୁରୀ। ତାଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ ଚଉଦବାଟିଆ ଗାଁରେ। ବାତ୍ୟା ଫନିରେ ତାଙ୍କର ପୂରାଘର ଧୋଇଯାଇଛି, ଆଜବେଷ୍ଟ ଛାତ ଉଡିଯାଇଛି। ଏବେ ସେ ତାଙ୍କ ନବବିବାହିତା ପୁଅ ବୋହୂଙ୍କୁ ନେଇ ଯିବେ କୁଆଡେ, କେଉଁଠି ମୁଣ୍ଡ ଗୁଞ୍ଜିବେ ତାହାକୁ ନେଇ ଚିନ୍ତାରେ। ଓଡିଶାଲାଇଭ ଟିମ୍ ଆଗରେ ଲକ୍ଷ୍ମୀ ତାଙ୍କର ଏହି କାହାଣୀ କହୁଥିବା ସମୟରେ ତାଙ୍କର ଦୁଇଆଖି କେତେବେଳେ ଯେ ଜକେଇ ଯାଇଥିଲା ବୋଧହୁଏ ସେ ବି ଜାଣିନଥିବେ।

ଏକମାତ୍ର ପୁ୍ଅ ଓ ବୋହୂଙ୍କୁ ନେଇ ଲକ୍ଷ୍ମୀଙ୍କ ତେଲଲୂଣର ସଂସାର। ପୁଅ ଦିନମଜୁରିଆ ଭାବେ କାମକଲେ ଦୁଇ ଓଳିର ଚୁଲି ଜଳିଥାଏ। ମାତ୍ର ଏ ପ୍ରଳୟଙ୍କାରୀ ଫନି ଯେମିତି ତାଙ୍କର ସବୁ ସ୍ବପ୍ନ ତାଙ୍କ ପାଖରୁ ଛଡ଼ାଇନେଇଛି। କାରଣ ଘରେ ଏମିତି କୌଣସି ଏକ ଜିନିଷ ନାହିଁ ଯାହାକୁ ସେମାନେ ଆଉଥରେ ବ୍ୟବହାର କରିପାରିବେ। ବର୍ଷାରେ ଘରର କାନ୍ଥପଡ଼ି ସବୁଜିନିଷପତ୍ର ନଷ୍ଟ ହୋଇଯାଇଛି। ତେବେ କେବେ ଏସବୁ କିଛି ଠିକ ହେବ ତାକୁ ହିଁ ଅପେକ୍ଷା କରିଛନ୍ତି ଲକ୍ଷ୍ମୀ ଓ ପରିବାର।

Comment