ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ପରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧାରେ ଲୋକଙ୍କ ସମସ୍ୟା ଯେମିତି ବଢ଼ିଯାଇଛି। ଅତି ଆବଶ୍ୟକୀୟ ସେବା ପାଇବାରୁ ଲୋକେ ବଞ୍ଚିତ। ବାତ୍ୟାକୁ ୧୧ ଦିନ ବିତିଥିଲେ ବି ଏବେ ବି ଅନେକ ଲୋକ ମୌଳିକ ସୁବିଧା ପାଇବାରୁ ବଞ୍ଚିତ।

ଏହାରି ଭିତରେ ଆମ ଟିମ୍ ପହଞ୍ଚିଥିଲା ୧ ନମ୍ବର ହାଟରେ ଯେଉଁଠି ପ୍ରତିଦିନ ସକାଳ ହେଲେ ବହୁସଂଖ୍ୟାରେ ଗ୍ରାହକ ଓ ବେପାରୀଙ୍କ ଗହଳି ଲାଗିଥାଏ। ସେଠାରେ ପୂର୍ବପରି ସ୍ଥିତି ନଥିଲା। ସବୁ ଦୋକାନ ଖୋଲାନାହିଁ। ଯେଉଁଠି କାଁ ଭାଁ ଖୋଲାଅଛି ସେଠାରେ ଗ୍ରାହକଙ୍କ ଭିଡ଼।

ବେପାରୀଙ୍କ କହିବା କଥା ବାତ୍ୟା ଦ୍ଵାରା ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଛି, ସେମାନେ ଗାଡ଼ି ମଟର ଚାଲୁନଥିବାରୁ ବଜାରକୁ ଆଣିପାରୁନାହାନ୍ତି। ଅନ୍ୟପଟେ ଯେଉଁ କେତୋଟି ବେପାରୀ ପରିବା ବିକ୍ରି କରୁଛନ୍ତି ସେମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଯେଉଁଥିପାଇଁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ବଜାରରେ ପରିବା ଦର ଏବେ ଆକାଶ ଛୁଆଁ। ପିଆଜ କିଲୋ ୩୦, ଟମାଟୋ ୬୦,କାକୁଡ଼ି ୬୦, ବାଇଗଣ ୪୦, କଲରା ୪୦, ସଜନା ଛୁଇଁ ୧୦୦, ଆଳୁ ୨୫ରୁ ୩୦ଟଙ୍କା ରହିଛି। ଯାହାପରେ ଗ୍ରାହକଙ୍କ ଚିନ୍ତା ବଢ଼ିଯାଇଛି।

ରାଜଧାନୀ ଭୁବନେଶ୍ୱରରେ ପରିବା ଦରରେ ନିଆଁ ଲାଗିଯାଇଥିବା ବେଳେ ପୁରୀ, ଖୋର୍ଦ୍ଧା ଏବଂ ଅନ୍ୟ ବାତ୍ୟା ପ୍ରଭାବିତ ଅଂଚଳରେ ସେହି ଭଳି ସ୍ଥିତି ଲାଗି ରହିଛି। ବିଶେଷକରି ସମଗ୍ର ଜିଲ୍ଲାରେ ପରିବା ଚାଷ ଉଜୁଡ଼ି ଯାଇଥିବାରୁ ବଜାର ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି।

Comment