ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଚଣ୍ଡ ଖରାରେ ଜଳୁଛି ଟୁଇନ୍‌ ସିଟି। ୧୪ ସହରରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା।  ଉତ୍ତପ୍ତସହର ଭାବେ ଟିଟଲାଗଡ଼ରେ ୪୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ।

ଅସହ୍ୟ ଖରାରେ ଜଳୁଛି ଓଡ଼ିଶା। ରାଜ୍ୟରେ ହାଫ୍‌ ସେଞ୍ଚୁରୀ ମାରିବାକୁ ବସିଲାଣି ତାପମାତ୍ରା। ଦିନକୁ ଦିନ ବଢ଼ିବାରେ ଲାଗିଛି ପାରଦ। ଶନିବାର ଟୁଇନ୍‌ ସିଟି ସହିତ ରାଜ୍ୟର ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ସବୁଠାରୁ ଉତ୍ତପ୍ତ ସହର ଭାବେ ଟିଟଲାଗଡ଼ରେ ୪୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଖାସ୍‌ କରି ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲା ଖରାର ପ୍ରକୋପରେ ଅସ୍ତବ୍ୟସ୍ତ। ତାତିର ପ୍ରକୋପ ଧିରେ ଧିରେ ଉପକୂଳ ଅଞ୍ଚଳକୁ ମାଡ଼ିବାରେ ଲାଗିଲାଣି। ଶୁକ୍ରବାର କଟକରେ ତାପମାତ୍ରା ୪୦ ଡିଗ୍ରୀ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୦.୨ ଡିଗ୍ରୀ ରେକର୍ଡ ହୋଇଛି।

ସେହିପରି ବଲାଙ୍ଗିରରେ ୪୫.୫ ଡିଗ୍ରୀ, ତାଳଚେର ୪୩.୨, ସମ୍ବଲପୁର ୪୪.୬, ସୋନପୁର ୪୪.୨, ହୀରାକୁଦ ୪୪.୧, ଝାରସୁଗୁଡ଼ା ୪୩.୬, ଭବାନୀପାଟଣା ୪୨.୮, ଅନୁଗୁଳ ୪୨.୭, ସୁନ୍ଦରଗଡ଼ ଓ ମାଲକାନଗିରି ୪୨, ଫୁଲବାଣୀ ୪୧.୮, ଚାନ୍ଦବାଲିରେ ୪୦.୫ ଡିଗ୍ରୀ ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ଆସନ୍ତା କିଛି ଦିନ ଯାଏ ରାଜ୍ୟରେ ଏହି ଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୩ରୁ ୪ ଦିନ ଯାଏଁ ତାତିରୁ ନିସ୍ତାର ମିଳିବନି ବୋଲି ଏସ୍‌ଆର୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ତାତିକୁ ଦୃଷ୍ଟିରେ ରଖି ରାଜ୍ୟର ୮ଟି ଜିଲ୍ଲା ବଲାଙ୍ଗିର, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଏସ୍‌ଆର୍‌ସି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment