ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେଠୁ କଲବଲ କଲାଣି ଖରା, ଆଗକୁ ଆହୁରି ଅସହ୍ୟ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏପ୍ରିଲ ୬ ତାରିଖ ଯାଏଁ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏ ନେଇ ଚେତାବନୀ ଜାରି କରାଯାଇଛି।

ବୁଧବାର ଦିନ ୧ଟା ସୁଦ୍ଧା ୭ଟି ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଛି। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ରେ ୪୧.୫, ବୌଦ୍ଧରେ ୪୧.୪, ଭବାନୀପାଟଣାରେ ୪.୧, ତାଳଚେର, ବଲାଙ୍ଗିର ଓ ନୟାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଛି।

ମଙ୍ଗଳବାର ଦିନ ରାଜ୍ୟର ୭ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଟପିଥିଲା। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଏହି ସମୟରେ ବାହାରକୁ ଯାଉଥିଲେ ସତର୍କତା ଅବଲମ୍ବନ କରିବା ସହ ସାଙ୍ଗରେ ପାଣି ବୋତଲ ନେବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏପଟେ ଅଂଶୁଘାତ ମୁକାବିଲା ନିମନ୍ତେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶ ଆନୁଯାୟୀ ଜୀବଜନ୍ତୁଙ୍କ ଯତ୍ନ ନିଆଯାଉଛି। ଏନକ୍ଲୋଜରଗୁଡ଼ିକୁ ବାଉଁଶ ତାଟି ଓ ବେଣା ଚେର ସ୍କ୍ରିନରେ ଘୋଡ଼ାଯାଉଛି। ସବୁ ଏନକ୍ଲୋଜରକୁ ୨୪ ଘଣ୍ଟିଆ ପାଣି ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି।

ସିମ୍ପାଞ୍ଜି ଏବଂ ଗିବନ ପାଇଁ କୁଲର ବ୍ୟବସ୍ଥା କରାଯାଇଛି। ଭାଲୁ ପାଇଁ ଥଣ୍ଡା ପାଣି ବ୍ୟବସ୍ଥା ହୋଇଥିବାବେଳେ ପକ୍ଷୀମାନଙ୍କ ଲାଗି କୃତ୍ରିମ ଝରଣା ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବାପାଣିର ବ୍ୟବସ୍ଥା କରାଯାଇଛି।

Tags: #Weather #WeatherUpdate #Odisha #Temperature #HotWeather

Comment