ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ପୁଣି ଫେରିବ ତାତି। ଆସନ୍ତାକାଲି, ଶୁକ୍ରବାରଠାରୁ ଚାରିଦିନ ଯାଏଁ ତାପମାତ୍ରା ୬ରୁ ୮ ଡିଗ୍ରୀ ବଢ଼ିବ ବୋଲି ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତ କିଛିଦିନ ହେଲା ବର୍ଷା ସାଙ୍ଗକୁ କୋହଲା ପାଗ ପାଇଁ ତାତିରୁ ଆଶ୍ଵସ୍ତି ମିଳିଥିଲା। ଏବେ ପୁଣି କଲବଲ କରିବ ଖରା।

ଏପ୍ରିଲ ୧୨ ତାରିଖରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀକୁ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାରଳାଖେମୁଣ୍ଡିରେ ଶୁକ୍ରବାର ଦିନ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି।

ଏପ୍ରିଲ ୧୩ ତାରିଖ ତାପମାତ୍ରା ପୁଣି ବଢ଼ିବାର ସମ୍ଭାବନା ରହିଛି। ପାରଳାଖେମୁଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି ଏପ୍ରିଲ ୧୪ ତାରିଖରେ ରାଜ୍ୟରେ ତାପମାତ୍ରା ୪୧ ଡିଗ୍ରୀ ଟପିବ ଏବଂ ସର୍ବନିମ୍ନ ତାପମାତ୍ରା ୩୪ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି।

ଏପ୍ରିଲ ୧୪ରୁ ୧୫ ତାରିଖ ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, କଟକ, ନୟାଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ଗରମ ସହ ଗୁଳୁଗୁଳି ହେବାର ସମ୍ଭାବନା ରହଛି। ସେହିପରି ଏପ୍ରିଲ ୧୫ରୁ ୧୬ ତାରିଖ ମଧ୍ୟରେ ବଲାଙ୍ଗିର, ଅନୁଗୁଳ, ନୟାଗଡ଼, କଟକ, କୋରାପୁଟ ଏବଂ ମାଲକାନଗିରିରେ ଅସହ୍ୟ ଗରମ ସହ ଗୁଳୁଗୁଳି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

Tags: #Weather #WeatherUpdates #HeatWave #HotWeather #Temperature #Odisha

LEAVE A REPLY

Please enter your comment!
Please enter your name here