ଓଡ଼ିଶାଲାଇଭ୍ ବ୍ୟୁରୋ

ରେକର୍ଡ ଭାଙ୍ଗୁଛି ପାରଦ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗୁଛି। ଏଣେ ପ୍ରଚଣ୍ଡ ଗରମରେ ରାଜ୍ୟବାସୀ ଡହଳବିକଳ ହେଉଛନ୍ତି। ଆଜି ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଶନିବାର ବଲାଙ୍ଗିର ଓ ଟିଟିଲାଗଡ଼ର ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିଛି। ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ରେ ସର୍ବାଧିକ ୪୬.୫ ଡିଗ୍ରୀ ତାପମାତ୍ରା ଥିବା ବେଳେ ବଲାଙ୍ଗିରରେ ରହିଛି ୪୬.୩ ଡିଗ୍ରୀ।

ଆଜି ରାଜ୍ୟର ୧୩ ସହରରେ ପାରଦ ୪୦ ଉପରେ ରହଥିବା ବେଳେ ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଡେଇଁଛି। ତାଳଚେରରେ ୪୫.୭ ଡିଗ୍ରୀ, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ୪୫.୨ ଡିଗ୍ରୀ। ସେହିପରି ସୋନପୁରରେ ତାପମାତ୍ରା ୪୪.୮ ଡିଗ୍ରୀ ଥିବା ବେଳେ ହୀରାକୁଦରେ ୪୪.୫ ଡିଗ୍ରୀ, ଭବାନୀପାଟଣାରେ ୪୪.୩ ଓ ଅନୁଗୋଳରେ ୪୪.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ରାଜ୍ୟରେ ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି। ଯାହାର ପ୍ରଭାବ ସିଧାସଳଖ ଜନଜୀବନ ଉପରେ ପଡ଼ୁଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ତେବେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ତାତିରୁ ନିସ୍ତାର ମିଳିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ରାଜ୍ୟର ୯ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା,ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ପାଇଁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି।

Comment