ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ପାଇବା ଯେତିକି ଚ୍ୟାଲେଞ୍ଜ, ମନ୍ତ୍ରୀ ହୋଇ ରହିବା ବି ସେତିକି ପରିଶ୍ରମସାଧ୍ୟ। ବିଗତ ସରକାରରେ ଯାହା ନଥିଲା, ପଞ୍ଚମ ପାଳି ସରକାରରେ ନବୀନ ମନ୍ତ୍ରୀମାନଙ୍କ ପାଇଁ ଏକ ନୂଆ ମାପଦଣ୍ଡ ସ୍ଥିର କରାଯାଇଛି। ସେହି ମାପଦଣ୍ଡ ଅନୁସାରେ ପ୍ରତି ମାସ ୭ ତାରିଖ ସୁଦ୍ଧା ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଓ ଦଳର ସୁପ୍ରିମୋଙ୍କୁ ମାସିକିଆ ରିପୋର୍ଟ ଦାଖଲ କରିବେ।

ଶାସକ ବିଜେଡି ୨୦୧୯ ନିର୍ବାଚନ ବେଳେ ଯେଉଁ ଇସ୍ତାହାର ଘୋଷଣା କରିଥିଲା ତାହାକୁ ଭିତ୍ତି କରି କାମ କେତେ ଆଗେଇଛି ତାହା ଏହି ରିପୋର୍ଟରେ ଉଲ୍ଲେଖ ରହିବ। ପ୍ରଥମ ରିପୋର୍ଟ ଜୁଲାଇ ୭ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ପଞ୍ଚମ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ ଦଳର ନିର୍ବାଚନୀ ଇସ୍ତାହାରକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ଦାୟିତ୍ୱ ଗ୍ରହଣ କରିବାର ଠିକ୍ ୩୬୫ ଦିନ ପରେ ଅର୍ଥାତ ୨୯ ମେ’ ୨୦୨୦ରେ ଲୋକଙ୍କ ପାଖରେ ଗୋଟିଏ ବର୍ଷ ସରକାରର ଉପଲବ୍ଧି ସମ୍ପର୍କିତ ହିସାବ ରଖାଯିବ।

‘ଇସ୍ତାହାରରେ ଯେଉଁ ସବୁ କଥା ରହିଛି ତାହାକୁ ମନ୍ତ୍ରିପରିଷଦ ନିଷ୍ଠାର ସହ ପାଳନ କରିବ ବୋଲି ମୁଁ ଆଶା କରୁଛି’, ନବୀନ ଏହା କହିଥିଲେ।

ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଆହ୍ୱାନ ଦେଇ ନିଜ ନିଜ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଦୃଷ୍ଟି ଦେବାକୁ ମନ୍ତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।

ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ବିସ୍ତୃତ ଭାବରେ କୁହାଯାଇଛି ଯେ ସରକାର ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ପ୍ରଗତିରେ ମହିଳାଙ୍କ ସମାନ ଭାଗିଦାରୀ, ଗରିବ ଓ ନିଷ୍ପେସିତ ବର୍ଗର ଲୋକଙ୍କ ଉତ୍ଥାନ ଓ ଯୁବକମାନଙ୍କ ସ୍ୱପ୍ନ ପୂରଣ ଉପରେ ଅଧିକ ଧ୍ୟାନ ଦିଆଯିବ।

Comment