ଓଡ଼ିଶାଲାଇଭ ବ୍ୟୁରୋ

‘‘ବନସ୍ତେ ଡାକିଲା ଗଜ। ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲୋ ଘେନି ନୂଆ ସଜବାଜ’’

‘‘ପଣଷ ପାଚିଲା ବନେ। ବନ ପୋଡ଼ିଗଲେ ଦୁନିଆ ଜାଣେ। ଦୁନିଆ ଜାଣେ ଲୋ, ମନ କଥା କିଏ ଜାଣେ।’’

‘‘ରାଶିରୁ ଛାଡ଼ିଲା ଚୋପା। ଗୋଡ଼ରେ ନାଇଛୁ ସରୁ ଅଳତା, ସରୁ ଅଳତା ଲୋ କାଲି ଯିବୁ କଲିକତା।’’

‘‘ନଈକୁ ମାଇଲି ଗିଲ। ନଈ ଆରପଟେ ମନ୍ଦାର ଫୁଲ। ମନ୍ଦାର ଫୁଲ ଲୋ ଧୋବଣୀକୁ ନେଲା ଚିଲ।’’

‘‘ଦୋଳି ଖେଳୁଥିଲି ଝାଙ୍କି। ମଝିଆଁ ଦିଅର ଦେଲେ ତ ଛିଙ୍କି, ଦେଲେ ତ ଛିଙ୍କି ଲୋ ଦୋଳିରୁ ପଡ଼ିଲି ଖସି।’’

ରଜ ଆସିଲେ ଏସବୁ ଗୀତ ମନେ ପଡ଼ିଯାଏ। ଗାଁର ଆମ୍ବ ତୋଟା ଏବଂ ବର ଗଛ ଡାଳରେ ଲାଗିଥିବା ଦୋଳିରେ ଦୋଳି ଖେଳି ଝିଅମାନେ ଏହି ଗୀତ ଗାଇ ମଉଜ କରିଥାନ୍ତି। ହେଲେ ଏବେ ସମୟ ଚକ୍ରରେ ଏହି ଗୀତ ସବୁ ହଜି ଗଲାଣି। ଗାଁରେ ଦୋଳି ଲାଗୁଛି ସତ, କିନ୍ତୁ ଏସବୁ ଗୀତ ଶୁଣିବାକୁ ମିଳୁନି।

ଚଳିତ ରଜରେ ଏହି ଗୀତ ଶୁଣିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ପାନ୍ଥ ନିବାସରେ ପାଳନ ହେଉଥିବା ରଜରେ ଦୋଳି ଖେଳି ଜଣେ ମାଉସୀ ଏହି ଗୀତ ଗାଇଥିଲେ। ଏହି ପାରମ୍ପରିକ ରଜ ଗୀତକୁ ଓଡ଼ିଶାଲାଇଭ୍ କ୍ୟାମେରା କଏଦ କରିଥିଲା।

ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସ ସଜେଇ ହୋଇଛି। ଦୋଳି ଖେଳିବା ଏବଂ ଭଳିକି ଭଳି ପିଠାର ମଜା ନେବା ପାଇଁ ଝିଅ, ମହିଳାମାନଙ୍କ ଭିଡ଼ ଲାଗୁଛି। ପହିଲି ରଜ ଦିନ ପାନ୍ଥ ନିବାସରେ ରଜ ଉତ୍ସବର କଭରେଜ କରିଥିଲା ଓଡ଼ିଶାଲାଇଭ୍ ଟିମ୍। ଓଡ଼ିଶାଲାଇଭ୍ କ୍ୟାମେରା ଆଗରେ ଏହି ମାଉସୀ ପାରମ୍ପରିକ ରଜ ଗୀତ ଗାଇ ହଜି ଯାଉଥିବା ସ୍ମୃତିକୁ ତାଜା କରି ଦେଇଛନ୍ତି।

Comment