ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନିୟର ଇଞ୍ଜିନିୟରଙ୍କୁ ଉଠବସ୍ ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ।

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ। ଜୁନିୟର ଇଞ୍ଜିନିୟର ଜୟକାନ୍ତ ଶବରଙ୍କୁ ବିଚ୍ ରାସ୍ତାରେ ଉଠବସ୍ କରାଇବା ଘଟଣାରେ ତାଙ୍କୁ ପାଟଣାଗଡ଼ ପୋଲିସ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରାଯାଇଛି।

ସୋମବାର ସକାଳୁ ପୋଲିସ ତାଙ୍କୁ ନୂଆପଡ଼ାରୁ ବଲାଙ୍ଗିର ଆଣିଥିଲା। ଏବଂ ସେଠାରେ ତାଙ୍କୁ ମାରାଥନ ଜେରା କରିଥିଲା ପୋଲିସ। ପରେ ତାଙ୍କୁ ଗିରଫ କରାଯାଇ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରାଯାଇଛି।

ପାଟଣାଗଡ଼ ଅଞ୍ଚଳର ମଣ୍ଡନରୁ ବେଲପଡ଼ାକୁ ନିର୍ମାଣ ହେଉଥିବା ପିଡବ୍ଲ୍ୟୁଡି ରାସ୍ତାରେ ଅନିୟମିତତା ଅଭିଯୋଗ ଆସିଥିଲା। ବିଧାୟକ ରାସ୍ତା ନିର୍ମାଣ ଦେଖିବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ବେଲପଡ଼ା ପିଡବ୍ଲ୍ୟୁଡିର ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସମସ୍ତଙ୍କ ସାମ୍ନାରେ ଦଣ୍ଡ ଦେଇଥିଲେ।

ସହକାରୀ ଯନ୍ତ୍ରୀଙ୍କୁ କାନ ଧରି ୧୦୦ ଥର ଉଠବସ୍ ହେବାକୁ ବିଧାୟକ କହିଥିଲେ। ଯନ୍ତ୍ରୀ ମଧ୍ୟ ବିଧାୟକଙ୍କ କଥା ମାନି ଉଠବସ୍‌ ହୋଇଥିଲେ। ଏ ଘଟଣା ନେଇ ଇଞ୍ଜିନିୟର ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଆଇପିସି ଓ ଏସ୍‌ସି ଏବଂ ଏସ୍‌ଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା।

ବିଧାୟକ ସରୋଜ ମେହର ଏ ଘଟଣା ପାଇଁ କ୍ଷମା ମାଗିବା ସହ ନିଜ ଭୁଲ୍‌ ବି ସ୍ୱୀକାର କରିଥିଲେ। ହେଲେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ ସଂଘ ଧମକ ଦେଇଥିଲେ।

LEAVE A REPLY

Please enter your comment!
Please enter your name here