ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପାଇଁ ଅଡୁଆ ବଢ଼ିଲା। ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ ରହିଥିବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ୫ ତାରିଖ ଯାଏଁ ବିଧାୟକ ଜେଲରେ ରହିବେ।

ରାସ୍ତା କାମ ନିମ୍ନମାନର ଅଭିଯୋଗ ଦର୍ଶାଇ ବିଧାୟକ ପାଟଣାଗଡ଼ରେ ଦବଙ୍ଗଗିରି ଦେଖାଇଥିଲେ। ବିଚ୍ ରାସ୍ତାରେ ଲୋକଙ୍କ ସାମ୍ନାରେ ବିଧାୟକ ଇଞ୍ଜିନିଅରଙ୍କୁ ୧୦୦ ଥର ଉଠ୍ ବସ୍ କରିଥିଲେ। ଏହି ଘଟଣାରେ ବିଧାୟକ ଗିରଫ ହୋଇଥିଲେ।

ବଲାଙ୍ଗିର ଏଡିଜେ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ବିଧାୟକ ଭୁବନେଶ୍ୱରରେ ବିଧାୟକ ଓ ସାଂସଦଙ୍କ ପାଇଁ ଖୋଲାଯାଇଥିବା ସ୍ପେଶାଲ ଜଜ୍ କୋର୍ଟରେ ଜାମିନ ଆବେଦନ କରିଥିଲେ। ଆଜି ଏହାର ଥିଲା ଶୁଣାଣି।

ହେଲେ ଭୁବନେଶ୍ୱର କୋର୍ଟରେ ଓକିଲମାନେ ଆନ୍ଦୋଳନ ଚଳାଇଥିବାରୁ କୌଣସି ଓକିଲ ବିଧାୟକଙ୍କ ମାମଲା ଲଢ଼ିବାକୁ ଆସି ନଥିଲେ। ଶେଷରେ ବିଧାୟକ ନିଜ ପାଇଁ ନିଜେ ଲଢ଼ିଥିଲେ।

ବିଧାୟକ ନିଜେ ଜଜ୍‌ଙ୍କ ସାମ୍ନାରେ ପକ୍ଷ ରଖିବା ସହ ଜୁନିଅର ଇଞ୍ଜିନିଅର ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ପକ୍ଷ ରଖିଥିଲେ। ଶେଷରେ ସତ୍ୟପାଠ ଦାଖଲ ପାଇଁ ଇଞ୍ଜିନିଅର ଏବଂ ତାଙ୍କ ସ୍ତ୍ରୀ କୋର୍ଟକୁ ସମୟ ମାଗିଥିଲେ।

ଫଳରେ ବିଧାୟକଙ୍କ ଜାମିନ ଆବେଦନ ମାମଲା ଶୁଣାଣି ହୋଇପାରି ନାହିଁ। ଜୁଲାଇ ୫ରେ ମାମଲା ଶୁଣାଣି କରିବା ପାଇଁ କୋର୍ଟ କହିଛନ୍ତି। ସେ ପର୍ଯ୍ୟନ୍ତ ବିଧାୟକ ଭୁବନେଶ୍ୱର ଝାରପଡ଼ା ଜେଲରେ ରହିବେ।

ତେବେ ବିଧାୟକଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ବିଧାୟକ ଜେଲରେ ରହିବେ ନା ହସ୍ପିଟାଲରେ ତାହା ଜେଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି।

ବିଧାୟକ ଇଞ୍ଜିନୟରଙ୍କ ଉଠ୍ ବସ୍ କରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଚାରିଆଡ଼େ ଉତ୍ତେଜନା ଦେଖାଦେଇଥିଲା। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ। ଶେଷରେ ବିଧାୟକଙ୍କୁ ଗିରଫ କରିଥିଲା ପାଟଣାଗଡ଼ ପୋଲିସ।

ଗୋଟିଏ ରାତି ଜେଲରେ ରହିବା ପରେ ବିଧାୟକ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ପାଟଣାଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Comment