ଓଡ଼ିଶାଲାଇଭ ବ୍ୟୁରୋ

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ସୋମବାର ବଲାଙ୍ଗିର ପୋଲିସ ଅଟକ ରଖିଛି। ଜୁନିୟର ଇଞ୍ଜିନିୟରଙ୍କ ବିଚ୍ ରାସ୍ତାରେ ଉଠବସ୍ କରାଇବା ଘଟଣାରେ ତାଙ୍କୁ ଅଟକ ରଖାଯାଇଛି। ପୋଲିସ ତାଙ୍କୁ ନୂଆପଡ଼ାରୁ ଆଣି ବଲାଙ୍ଗିରରେ ଜେରା କରୁଥିବା ସୂଚନା ମିଳିଛି।

ପାଟଣାଗଡ଼ ଅଞ୍ଚଳର ମଣ୍ଡନରୁ ବେଲପଡ଼ାକୁ ନିର୍ମାଣ ହେଉଥିବା ପିଡବ୍ଲ୍ୟୁଡି ରାସ୍ତାରେ ଅନିୟମିତତା ଅଭିଯୋଗ ଆସିଥିଲା। ବିଧାୟକ ରାସ୍ତା ନିର୍ମାଣ ଦେଖିବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ବେଲପଡ଼ା ପିଡବ୍ଲ୍ୟୁଡିର ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସମସ୍ତଙ୍କ ସାମ୍ନାରେ ଦଣ୍ଡ ଦେଇଥିଲେ।

ସହକାରୀ ଯନ୍ତ୍ରୀଙ୍କୁ କାନ ଧରି ୧୦୦ ଥର ଉଠବସ୍ ହେବାକୁ ବିଧାୟକ କହିଥିଲେ। ଯନ୍ତ୍ରୀ ମଧ୍ୟ ବିଧାୟକଙ୍କ କଥା ମାନି ଉଠବସ୍‌ ହୋଇଥିଲେ। ଏ ଘଟଣା ନେଇ ଇଞ୍ଜିନିୟର ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଆଇପିସି ଓ ଏସ୍‌ସି ଏବଂ ଏସ୍‌ଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା।

ବିଧାୟକ ସରୋଜ ମେହର ଏ ଘଟଣା ପାଇଁ କ୍ଷମା ମାଗିବା ସହ ନିଜ ଭୁଲ୍‌ ବି ସ୍ୱୀକାର କରିଥିଲେ। ହେଲେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ ସଂଘ ଧମକ ଦେଇଥିଲେ। ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ହିଁ ପୋଲିସ ତାଙ୍କୁ ଅଟକ ରଖିଛି।

Comment