ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର ହେଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର। ୪ ଦିନିଆ ଜାମିନ ଅବଧି ସରିବା ପରେ ସେ କୋର୍ଟରେ ହାଜର ହୋଇଛନ୍ତି। ଏହାପରେ ବଲାଙ୍ଗିର ଜେଲ୍‌କୁ ପୁଣି ଫେରିଯିବେ ପୁଞ୍ଜିଲାଲ।

ପୁଞ୍ଜିଲାଲ ତାଙ୍କ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ୪ ଦିନିଆ ପାରୋଲରେ ବାହାରିଥିଲେ। ଗତ ୧୦ ତାରିଖରେ ପୁଞ୍ଜିଲାଲଙ୍କର ମା’ଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମା’ଙ୍କର ଶେଷକ୍ରିୟା କରିବା ପାଇଁ ନିମ୍ନ ଅଦାଲତରୁ ତାଙ୍କୁ ଦିନିକିଆ ଜାମିନ ମିଳିଥିଲା। ପରେ ତାଙ୍କ ମା’ଙ୍କ ଶ୍ରାଦ୍ଧକ୍ରିୟାରେ ଯୋଗ ଦେବା ପାଇଁ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

୨୦୧୮ ଫେବ୍ରୁଆରି ୨୩ରେ ନବବିବାହିତ ସୌମ୍ୟଶେଖରଙ୍କ ପତ୍ନୀ ରିମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ସୌମ୍ୟ ଶେଖରଙ୍କ ଜେଜେମା’ଙ୍କର ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ଅବସ୍ଥାରେ ନବ ବିବାହିତ ଦମ୍ପତ୍ତିଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସୌମ୍ୟଶେଖର ବି’ ଆଖି ବୁଜି ଦେଇଥିଲେ। ଘଟଣାକୁ ନେଇ ପାଟଣାଗଡ଼ ଥାନା ପୋଲିସ୍ ସେହିଦିନ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ପରେ ଏହି ଘଟଣାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ୍ ଏସ୍‌ଆଇଟି ନେଇଥିଲା। ୨୦୧୮ ଏପ୍ରିଲ ୨୫ରେ ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍। ଶେଷଥର ପାଇଁ ୨୦୧୯ ମାର୍ଚ୍ଚ ୨୫ରେ ପୁଞ୍ଜିଲାଲଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ।

Comment