ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲ୍‌ରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏବାବଦରେ ପାଟଣାଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ତାଙ୍କ ଓକିଲ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କର ଚିକିତ୍ସା ବ୍ୟବସ୍ଥା କରିବାକୁ ଓକିଲ ଦାବି କରିଛନ୍ତି।

୨୦୧୮ ଫେବୃଆରୀ ୧୮ ତାରିଖରେ ପାଟଣାଗଡ଼ର ରବିନ୍ଦ୍ର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ବାହାଘର ହୋଇଥିଲା। ବେଙ୍ଗାଳୁରୁରେ ଇଞ୍ଜିନିୟର ଥିବା ସୌମ୍ୟ ସୋନପୁରର ରିମାଙ୍କୁ ବିବାହ କରିଥିଲେ। ସେହି ମାସ ୨୦ରେ ବଡ଼ ଜାକଜମକରେ ତାଙ୍କର ରିସେପ୍‌ସନ୍ ହୋଇଥିଲା। ବାହାଘରର ସବୁ କାମ ସରିଲା ପରେ ୨୩ ତାରିଖରେ ଗିଫ୍ଟ ପ୍ୟାକେଟ୍‌ ସବୁକୁ ଖୋଲାଯାଉଥିଲା। ଏହି ସମୟରେ ରାୟପୁରରୁ ଏକ ଗିଫ୍ଟ ପାର୍ସଲ ଆସି ପହଞ୍ଚିଥିଲା। କିଏ କ’ଣ ଉପହାର ଦେଇଛନ୍ତି ତାକୁ ଦେଖିବା ପାଇଁ ରିମା ଏବଂ ସୌମ୍ୟଶେଖର ଗୋଟିଏ ପରେ ଗୋଟି ଗିଫ୍ଟ ଖୋଲି ଦେଖୁଥିଲେ।

ଏହି ଖୁସିରେ ସାମିଲ୍ ହୋଇଥିଲେ ଜେଜେମା ଜେମାମଣି। ହେଲେ ଏହି ଖୁସି ବେଶୀ ସମୟ ରହି ନଥିଲା। ପାର୍ସଲରେ ଆସିଥିବା ଗିଫ୍ଟ ପ୍ୟାକେଟ୍ ଖୋଲୁଖୋଲୁ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ନବ ଦମ୍ପତ୍ତି ଏବଂ ଜେଜେମା। ବିସ୍ଫୋରଣର ଶବ୍ଦ ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ବି ସମ୍ଭାଳି ପାରି ନଥିଲା।

ଆହତ ୩ ଜଣଙ୍କୁ ପ୍ରଥମେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜେମାମଣି ଏବଂ ସୌମ୍ୟଶେଖରଙ୍କର ଆଗ ପଛ ହୋଇ ମୃତ୍ୟୁ ହୋଇଥିଲା। ରିମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।

ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରି କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା। ଏପ୍ରିଲ ୨୫ରେ କଲେଜ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା।

Comment