ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲ ମେହେର ଗଣମାଧ୍ୟମ ଉପରେ ବର୍ଷିଛନ୍ତି। ମାଆ ଇନ୍ଦୁବତୀ ମେହେରଙ୍କ ଅନ୍ତିମ ସତ୍କାର ପାଇଁ ସେ ଗୋଟିଏ ଦିନ ପାଇଁ ଜେଲ୍‌ରୁ ବାହାରି ଏଭଳି ବର୍ଷିଛନ୍ତି।

ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେରଙ୍କର ଶୁକ୍ରବାର ଦିନ ୧୧ଟା ବେଳେ ଦେହାନ୍ତ ହୋଇଥିଲା। ଓକିଲ ତୀର୍ଥ ସାହୁ ପୁଞ୍ଜିଲାଲଙ୍କୁ ୧୫ ଦିନ ପାଇଁ ଜେଲରୁ ଛାଡ଼ିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ। କିନ୍ତୁ କୋର୍ଟ ଗୋଟିଏ ଦିନ ପାଇଁ ଅନୁମତି ଦେଇଥିଲେ।

ପୁଞ୍ଜିଲାଲଙ୍କୁ ଜେଲ୍‌ରୁ ଗୋଟିଏ ଦିନ ପାଇଁ ପାରୋଲରେ ଆଣି କିଛି ସମୟ ପାଇଁ ଥାନାରେ ରଖିଥିଲା ପୋଲିସ, ଯେଉଁଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ ସେ। ଏଥିପାଇଁ ସେ ପୋଲିସ ଉପରେ ଚିଲେଇ କହିଥିଲେ, ‘‘ମତେ ଗୋଟିଏ ଦିନ ପାଇଁ ଛୁଟି ମିଳିଛି। ସେଥିରେ ମତେ ନେଇ ଥାନାରେ ରଖିଦେଇଛନ୍ତି। ମୁଁ ଏଯାଏଁ ମୋ ଘର ଲୋକଙ୍କ ସହ କଥା ହୋଇନି। ଖାଲି କ’ଣ ନିଆଁ ଲଗାଇ ଦେଇ ପଳେଇବି ନା କ’ଣ।’’

ଏହାପରେ ସେ ଗଣମାଧ୍ୟମକୁ ବି ଛାଡ଼ି ନଥିଲେ। ଗଣମାଧ୍ୟମ ମିଥ୍ୟା ଖବର ପ୍ରସାରିତ କରିବା ସହ ତାଙ୍କ ଭିତରେ ଥିବା ଭଲ ଗୁଣକୁ ଛାପୁନି। ଗଣମାଧ୍ୟମ ବାରମ୍ବାର ତାଙ୍କ ବିରୋଧରେ ଭୁଲ ଖବର ଛାପୁଛି ଓ ତାଙ୍କ ଭଳି ଶିକ୍ଷିତ ଲୋକକୁ ବଦନାମ୍ କରୁଛି ବୋଲି ପୁଞ୍ଜିଲାଲ ଅଭିଯୋଗ କରିଥିଲେ।

ଆମେ କହି ରଖୁଛୁ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଘଟିଥିବା ପାର୍ସଲ ବୋମା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସୌମ୍ୟଶେଖର ଓ ରିମାଙ୍କ ବିବାହର ୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ଗିଫ୍‌ଟ ପାର୍ସଲ। ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ। ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ରିମା ଆହତ ହୋଇଥିଲେ। ଏହାର ମାଷ୍ଟର ମାଇଣ୍ଡ ଥିଲା ପୁଞ୍ଚିଲାଲ।

Comment