ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ତେବେ ବଜେଟ୍‌ ଉପସ୍ଥାପନା ପରେ ଶାସକ ଏବଂ ବିରୋଧି ନିଜ ପ୍ରତିକ୍ରିୟା ରଖିଛନ୍ତି। ନବୀନ ଏହି ବଜେଟ୍‌କୁ ଗରିବଙ୍କ ବିକାଶରେ ସହାୟକ ହେବ ବୋଲି କହିଥିବା ବେଳେ ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ନୈରାଶ୍ୟଜନକ।

ଶୁକ୍ରବାର ବିଧାନସଭାରେ ବଜେଟ୍‌ ଉପସ୍ଥାପନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। ନବୀନ କହିଛନ୍ତି, “ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ରାଜ୍ୟ ବଜେଟ୍‌ରେ ପ୍ରତିଫଳିତ ହୋଇଛି। ବଜେଟ୍‌ରେ ଦୁଇଟି ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଆମେ ପୂରଣ କରିଛୁ। କାଳିଆ ଯୋଜନାର ସଂପ୍ରସାରଣ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ବଜେଟ୍‌ରେ ସ୍ଥାନ ପାଇଛି।”

ନବୀନ ଆହୁରି ମଧ୍ୟ କହିଛନ୍ତି, “ବାତ୍ୟା ଫନି ପରେ ରାଜ୍ୟର ପୁନରୁଦ୍ଧାର, ରାଜ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ବସ୍ତି ବାସନ୍ଦାଙ୍କୁ ଥଇଥାନ ପାଇଁ ୧୦୦ କୋଟିର ବ୍ୟବସ୍ଥା ରାଜ୍ୟ ବଜେଟ୍‌ରେ ସ୍ଥାନ ପାଇଛି। ଏହି ବଜେଟ୍‌ ରାଜ୍ୟରେ ଚାଷୀ, ମହିଳା, ଗରିବଙ୍କ ବିକାଶରେ ସହାୟକ ହେବ।”

ଅନ୍ୟପକ୍ଷରେ ରାଜ୍ୟ ବଜେଟ୍‌କୁ ନୈରାଶ୍ୟଜନକ କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପ୍ରଦୀପ୍ତ ନାଏକ କହିଛନ୍ତି, “ରାଜ୍ୟ ବଜେଟ୍‌ରେ ବେକାରୀ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି କଥା କୁହାଯାଇନାହିଁ। ସେହିପରି ରାଜସ୍ୱ ବଢ଼ାଇବା ପାଇଁ ମଧ୍ୟ ବଜେଟ୍‌ରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ରାଜ୍ୟ ସରକାରଙ୍କ ଏହି ବଜେଟ୍‌ ନୈରାଶ୍ୟଜନକ।”

“ଏହି ବଜେଟ୍‌ ଗରିବ, ଶ୍ରମିକ, ସାଧାରଣ ବର୍ଗଙ୍କ ପାଇଁ ନୁହେଁ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଖରେ ପଇସା ନାହିଁ। ରାଜ୍ୟର ନିଜସ୍ୱ ଆୟ ହେଉଛି ୪୫ କୋଟି। ତେବେ ଅନ୍ୟ ଜିନିଷ ପାଇଁ ରାଜ୍ୟ ସରକାର ଋଣ କରିବେ। ଏହାର ସରକାରଙ୍କ ଚରମ ବିଫଳତା”, କହିଛନ୍ତି କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ର।

Comment