ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ବିଶ୍ଵକପର ୩୮ତମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୩୧ରନରେ ପରାସ୍ତ କରିଛି। ୩୩୭ରନର ପିଛା କରି ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୩୦୬ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ଧୁଆଁଧାର ୧୧୧ରନ କରିଥିଲେ ସେହିପରି ଭାରତ ପକ୍ଷରୁ ମହମ୍ମଦ ସାମି ଚମତ୍କାର ବୋଲିଂ କରି ୫ଟି ଓ୍ଵିକେଟ ହାସଲ କରିଥିଲେ।

ଏହି ମ୍ୟାଚ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଥିଲା। ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଥିଲା। କାରଣ ଏହି ମ୍ୟାଚ ଉପରେ ୩ଟି ଦଳର ସେମି ଫାଇନାଲ ଆଶା ନିର୍ଭର କରୁଥିଲା। ଇଂଲଣ୍ଡ ଜିତିବା ଯୋଗୁଁ ପାକିସ୍ତାନର ସେମିଫାଇନାଲ ଆଶା ମଉଳିଯାଇଛି।

ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଦଳର ଦୁଇ ଓପନର ଭଲ ଆରମ୍ଭ କରିଥିଲେ। ଦଳ ୨୨ ଓଭରରେ ୧୬୦ ରନ କରିଥିବା ବେଳେ ଜାସନ ରୟ ୬୬ରନ କରି ପାଭିଲିୟନ ଫେରିଯାଇଥିଲେ। ପରେ ଜନି ବେୟାରଷ୍ଟୋ ଓ ଜଏ ରୁଟ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ୩୧ ଓଭରରେ ଦଳୀୟ ସ୍କୋର ୨୦୫ ହୋଇଥିବା ବେଳେ ଜନି ବେୟାରଷ୍ଟୋ ଧୁଆଁଧାର ୧୧୧ ରନ କରି ଆଉଟ ହୋଇଯାଇଥିଲେ। ଚତୁର୍ଥ ଓ୍ଵିକେଟରେ ବେନ ଷ୍ଟୋକ୍ସ ୫୪ ବଲରୁ ୭୯ ରନ ସଂଗ୍ରହ କରିଥିଲେ ଫଳରେ ଇଂଲଣ୍ଡ ୫୦ ଓଭରରେ ୩୩୭ ରନ କରିଥିଲା।

୩୩୮ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ୨ ଓଭରରେ ଦଳୀୟ ସ୍କୋର ୮ରନ ହୋଇଥିବା ବେଳେ କେଏଲ ରାହୁଲ ବିନା ଖାତା ଖୋଲି ପାଭିଲିୟନ ଫେରିଯାଇଥିଲେ।

ପ୍ରଥମ ଓ୍ଵିକେଟରେ ରୋହିତଙ୍କ ସହ ବିରାଟ କୋହଲି ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ପରେ ୨୮ ଓଭରରେ ବ୍ୟକ୍ତିଗତ ୬୬ ରନ କରି ବିରାଟ କୋହଲି ଆଉଟ ହୋଇଯାଇଥିଲେ। ରୋହିତ ଶର୍ମାଙ୍କ ସହ ରିଶବ ପନ୍ତ ମଧ୍ୟ ଭଲ ଭାଗିଦାରୀ କରିଥିଲେ ମାତ୍ର ୩୬ ଓଭରରେ ରୋହିତ ମଧ୍ୟ ବ୍ୟକ୍ତିଗତ ୧୦୨ରନ କରି ଆଉଟ ହୋଇଯାଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ମହେନ୍ଦ୍ର ସିଂ ଧୋନି ଶେଷ ପର୍ଯ୍ୟନ୍ତ ଲଢେଇ କରି ମଧ୍ୟ ଦଳକୁ ବିଜୟୀ କରାଇପରିନଥିଲେ। ଫଳରେ ଭାରତ ୫୦ ଓଭରରେ ୩୦୬ ରନ କରି ୩୧ ରନରେ ପରାଜୟ ହୋଇଥିଲା।

Comment