ଓଡ଼ିଶାଲାଇଭ୍ ବ୍ୟୁରୋ

ଇଞ୍ଜିନିୟରଙ୍କୁ ବସ୍ ଉଠ୍ କରିବା ଘଟଣାରେ ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନ ଶୁଣାଣି ହେବ। ତାଙ୍କୁ ଭୁବନେଶ୍ୱର ଏଡିଜେ କୋର୍ଟରେ ହାଜର କରାଯିବ।
ଗତ ୨୪ ତାରିଖରେ ପାଟଣାଗଡ଼ ପୋଲିସ ବିଧାୟକଙ୍କୁ ଗିରଫ କରି ବଲାଙ୍ଗିର ଏଡିଜେ କୋର୍ଟରେ ହାଜର କରିଥିଲା। ବିଧାୟକଙ୍କ ଓକିଲ ଜାମିନ ଆବେଦନ କରିଥିଲେ। କିନ୍ତୁ ଜାମିନ ଆବେଦନ ଖାରଜ ହେବା ପରେ ବିଧାୟକ ଜେଲ ଯାଇଥିଲେ। ଜେଲରେ ଗୋଟିଏ ରାତି ରହିବା ପରେ ବିଧାୟକ ଅସୁସ୍ଥ ହୋଇଥିଲେ। ଫଳରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ରବିବାର ସନ୍ଧ୍ୟାରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ପୁଣି ଜେଲ ହାଜତକୁ ନିଆଯାଇଥିଲା। ହାପରେ ବିଳମ୍ବିତ ରାତିରେ କଡ଼ା ସରୁକ୍ଷା ମଧ୍ୟରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି।
ପାଟଣାଗଡ଼ ଅଞ୍ଚଳର ମଣ୍ଡନରୁ ବେଲପଡ଼ାକୁ ନିର୍ମାଣ ହେଉଥିବା ପିଡବ୍ଲ୍ୟୁଡି ରାସ୍ତାରେ ଅନିୟମିତତା ଅଭିଯୋଗ ଆସିଥିଲା। ବିଧାୟକ ରାସ୍ତା ନିର୍ମାଣ ଦେଖିବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ବେଲପଡ଼ା ପିଡବ୍ଲ୍ୟୁଡିର ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସମସ୍ତଙ୍କ ସାମ୍ନାରେ ଦଣ୍ଡ ଦେଇଥିଲେ।
ସହକାରୀ ଯନ୍ତ୍ରୀଙ୍କୁ କାନ ଧରି ୧୦୦ ଥର ଉଠବସ୍ ହେବାକୁ ବିଧାୟକ କହିଥିଲେ। ଯନ୍ତ୍ରୀ ମଧ୍ୟ ବିଧାୟକଙ୍କ କଥା ମାନି ଉଠବସ୍ ହୋଇଥିଲେ। ଏ ଘଟଣା ନେଇ ଇଞ୍ଜିନିୟର ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଓ ଏସ୍ସି ଏବଂ ଏସ୍ଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା।

















