ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ହାଇକୋର୍ଟରେ ଆଉ ଦୁଇଟି ନିର୍ବାଚନ ମାମଲା ରୁଜୁ ହୋଇଛି। ରାଉରକେଲା ଓ ସାନଖେମୁଣ୍ଡି ବିଧାୟକଙ୍କ ନାମରେ ଏହି ଦୁଇ ମାମଲା ରୁଜୁ କରାଯାଇଛି। ଏଥି ସହିତ ହାଇକୋର୍ଟରେ ୨୦୧୯ ବିଧାନସଭା ନିର୍ବାଚନ ଅସିଦ୍ଧ ଦାବି ମାମଲା ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି। ପୂର୍ବରୁ ଏତେ ସଂଖ୍ୟକ ନିର୍ବାଚନ ମାମଲା ହାଇକୋର୍ଟରେ ପହଞ୍ଚି ନଥିଲା।
ରାଉରକେଲା ଆସନରୁ ନିର୍ବାଚିତ ହୋଇଥିବା ବିଜେଡି ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଶାରଦା ପ୍ରସନ୍ନ ନାୟକଙ୍କ ବିରୁଦ୍ଧରେ ବିଜେପି ପ୍ରାର୍ଥୀ ନିହାର ରାୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ନିହାର ରାୟ ଶାରଦା ନାୟକଙ୍କଠାରୁ ପ୍ରାୟ ୧୦ ହଜାର ଭୋଟରେ ପରାଜିତ ହୋଇଥିଲେ। ରାୟଙ୍କ ଅଭିଯୋଗ ଯେ ଶାରଦା ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ କିଛି ତଥ୍ୟ ଲୁଚାଇଥିଲେ। ତାଙ୍କ ଆବେଦନରେ ରାୟ କହିଛନ୍ତି ଯେ ଲାଭଜନକ ପଦବୀରେ ରହିଥିବା ସୂଚନା ନାୟକ ତାଙ୍କ ପ୍ରାର୍ଥୀ ପତ୍ରରେ ଉଲ୍ଲେଖ କରି ନଥିଲେ। ରାୟ ତାଙ୍କ ଆବେଦନରେ ଆହୁରି ମଧ୍ୟ କହିଛନ୍ତି ଯେ ବିଧାୟକ ତାଙ୍କ ଆୟର ବିବରଣୀ ଦେଇନାହାନ୍ତି।

ସାନଖେମୁଣ୍ଡି ବିଧାୟକ କଂଗ୍ରେସର ରମେଶ ଜେନାଙ୍କ ବିରୁଦ୍ଧରେ ଯେଉଁ ନିର୍ବାଚନୀ ମାମଲା ରୁଜୁ ହୋଇଛି ସେଥିରେ କୁହାଯାଇଛି ଯେ ନିର୍ବାଚିତ ବିଧାୟକ ତାଙ୍କ ନାମରେ ଥିବା ଫୌଜଦାରୀ ମକଦ୍ଦମା କଥା ଉଲ୍ଲେଖ କରିନାହାନ୍ତି। ରମେଶଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବା ବିଜେଡିର ନନ୍ଦିନୀ ଦେବୀ ପ୍ରାୟ ୨୩ ହଜାର ଭୋଟରେ ହାରି ଯାଇଥିଲେ।

ଏହି ଦୁଇଟି ନିର୍ବାଚନୀ ମାମଲା ବ୍ୟତୀତ ଆଗରୁ ବାଲେଶ୍ୱର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସୋର ବିଧାୟକ ପର୍ଶୁରାମ ଧଡ଼ା, ବରୀ ବିଧାୟକ ସୁନନ୍ଦା ଦାସ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଓ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ବିରୁଦ୍ଧରେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ନିର୍ବାଚନ ଅସିଦ୍ଧ ଘୋଷଣା କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି।

Comment