ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟକୁରା ଦଖଲ କରିବା ପାଇଁ ବିଜେଡି ଏବଂ ବିଜେପି ପ୍ରଚାରକୁ ଜୋରଦାର କରିଛନ୍ତି। ଘର ଘର ବୁଲି ପ୍ରାର୍ଥୀ କ୍ୟାମ୍ପେନିଂ କରୁଛନ୍ତି। ହେଲେ ପ୍ରଚାରରେ ପଛରେ ପଡ଼ି ଯାଇଥିବା କଂଗ୍ରେସ କିନ୍ତୁ ଆଜି ପାଟକୁରା ପାଇଁ ରଣନୀତି ପ୍ରସ୍ତୁତ କରିଛି। ବାହୁଡ଼ା ପରେ କଂଗ୍ରେସର ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।

ପାଟକୁରାରେ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଜୟନ୍ତ ବିଜେଡିର ସାବିତ୍ରୀ ଅଗ୍ରୱାଲ ଏବଂ ବିଜେପିର ବିଜୟ ମହାପାତ୍ରଙ୍କୁ ଟକ୍କର ଦେବେ।

ଜୟନ୍ତ ଏହି ଦୁଇ ନେତାଙ୍କୁ କେମିତି ଟକ୍କର ଦେବେ ତାକୁ ନେଇ ଆଜି ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ବୈଠକ ବସିଥିଲା। ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

‘‘ଆମେ ଟଙ୍କା ଦେଇ ପାଟକୁରା ନିର୍ବାଚନ ଲଢ଼ି ପାରିବୁନି। ସୁସ୍ଥ ଗଣତନ୍ତ୍ର ପରମ୍ପରା ରକ୍ଷା କରିବାକୁ ପାଟକୁରାବାସୀଙ୍କୁ ଅନୁରୋଧ କରିବୁ। କଂଗ୍ରେସକୁ ଭୋଟ ଦେବାକୁ କହିବୁ’’, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

ବାହୁଡ଼ା ପରେ କଂଗ୍ରେସର ସବୁ ବିଧାୟକ ପାଟକୁରା ଯିବେ। ୨ରୁ ୩ ଦିନ ଧରି ନିର୍ବାଚନ ପ୍ରଚାର କରିବେ।

ଏପଟେ ବିଜେଡି ପ୍ରତି ପଞ୍ଚାୟତରେ ନେତାଙ୍କୁ ଦାୟିତ୍ୱ ଦେଇଛି। ମାଳ ମାଳ ନେତା ବିଭିନ୍ନ ପଞ୍ଚାୟତରେ ଡେରା ପକାଇଛନ୍ତି। ବିଜେପିର ନେତା ମଧ୍ୟ ବିଭିନ୍ନ ପଞ୍ଚାୟତରେ ଡେରା ପକାଇଛନ୍ତି।

Comment