ଓଡ଼ିଶାଲାଇଭ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଓଡ଼ିଆ ମିଡିଆ ପକ୍ଷରୁ ଓଡ଼ିଶା ମିଡିଆ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଫଟୋ ସାମ୍ବାଦିକ ଏବଂ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।
ଏହି କନକ୍ଲେଭକୁ ଉଦଘାଟନ କରିଥିଲେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ପ୍ରମେୟର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ଓ ବିଜିନେସ ଷ୍ଟାଣ୍ଡାର୍ଡର ଆବାସିକ ସଂପାଦକ ଦିଲ୍ଲୀପ ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଲିଙ୍କ ଓ ଓଡ଼ିଶା ଷ୍ଟୋରୀ ନ୍ୟୁଜ୍ ପୋର୍ଟାଲର ସଂପାଦକ ଶୁଭ୍ରାଂଶୁ ପଣ୍ଡା ଉଦଘାଟନୀ ସଭା ସଂଚାଳନ କରିଥିଲେ।
ଉଦଘାଟନୀ ସଭାରେ ‘ସାମ୍ବାଦିକ ଈଶ୍ଵର କି?’ ଓ ‘ଗଣମାଧ୍ୟମ କେତେ ନିରପେକ୍ଷ’ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଗଣମାଧ୍ୟମ ଈଶ୍ଵର ନ ହେଲେ ବି ଅନେକ ସମୟରେ ଏହାର ଗୋଟିଏ ପଦକ୍ଷେପ ସମାଜ ପାଇଁ ଈଶ୍ଵରଙ୍କ କାର୍ଯ୍ୟ ଭଳି ଅନୁଭବ ହୋଇଥାଏ ବୋଲି ଦିଲ୍ଲୀପ ଶତପଥୀ ମତବ୍ୟକ୍ତ କରିଥିଲେ।
ଗୋପାଳକୃଷ୍ଣ ମହାପାତ୍ର କହିଥିଲେ, ”ସାମ୍ବାଦିକ ଈଶ୍ଵର ହୋଇପାରେ ଦାନବ ବି ହୋଇପାରେ। ଯଦି ସାମ୍ବାଦିକର ଗୋଟିଏ ଲେଖା ବା ରିପୋର୍ଟିଂ କାହା ଜୀବନରେ କିଛି ସକାରାତ୍ମକ ପ୍ରଭାବ ଆଣିପାରିଲା ତାହା କୌଣସି ଈଶ୍ଵରଙ୍କ କାର୍ଯ୍ୟ ଠାରୁ କମ ନୁହେଁ। ଯଦି ଜଣେ ସାମ୍ବାଦିକ ନିଜ କ୍ଷମତାର ଅପବ୍ୟବହାର କରେ ତାହାଲେ ତାହା ଦାନବଠାରୁ କିଛି କମ୍ ନୁହେଁ।“
ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, “ଗଣମାଧ୍ୟମର ଉପର ସ୍ତରରେ ବସିଥିବା ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ତଳ ସ୍ତରର ସାମ୍ବାଦିକ ସମସ୍ତେ ନିଜକୁ ନିଜ ନିଜ ଇଲାକାର ଭଗବାନ ମନେକରୁଛନ୍ତି। ସେମାନେ ଯାହା ଚାହିଁବେ ତାହା କରିପାରିବେ ଏ ପ୍ରକାର ଭାବନା ରଖୁଛନ୍ତି। ସାମ୍ବାଦିକମାନେ ପାଠକଙ୍କ ଆଗରେ ନିଜର ସ୍ଥିତି ସ୍ପଷ୍ଟ କରିବା ଉଚିତ।”
ଦ୍ଵିତୀୟ ଅଧିବେଶନରେ ସୋସିଆଲ ମିଡିଆ ଯୁଗରେ ଟିଆରପିର କିଛି ମାନେ ଅଛି କି?’ ପ୍ରସଙ୍ଗରେ ମତ ରଖିଥିଲେ କନକ ନ୍ୟୁଜର ସଂପାଦକ ମନୋରଂଜନ ମିଶ୍ର, ଅର୍ଗସ ଟିଭିର ସଂପାଦକ ସଂଜୟ ଜେନା ଓ ଓଡ଼ିଶା ବାଇଟ୍ସର ସଂପାଦକ ସନ୍ଦୀପ ମିଶ୍ର। ଏହାକୁ ସଂଚାଳନ କରିଥିଲେ ଦିଲ୍ଲୀପ ଶତପଥୀ।
ତୃତୀୟ ଅଧିବେଶନରେ ‘ସେମାନେ ସତରେ ଦକ୍ଷ ତ?’ ଶୀର୍ଷକ ବିତର୍କରେ ଭାଗ ନେଇଥିଲେ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ମୁଖ୍ୟ ଉପେନ୍ଦ୍ର ପାଢ଼ୀ, ବିଜେପି ମହାବିଦ୍ୟାଳୟ ଗଣଯୋଗାଯୋଗ ବିଭାଗ ମୁଖ୍ୟ ନଳିନୀ ପାତ୍ର ଓ ଏଏମ୍ଆଇଟି ସଂଚାଳକ ତ୍ରିଦେବ ମହାନ୍ତି। ଏହି ମଞ୍ଚକୁ ସଂଚାଳନ କରିଥିଲେ ଆଇଆଇଏମସି, ଢେଙ୍କାନାଳର ଅଧ୍ୟାପକ ଜ୍ୟୋତିପ୍ରକାଶ ମହାପାତ୍ର।
ଅନ୍ତିମ ଅଧିବେଶନ ‘ନିର୍ବାଚନ: ରାଜନୀତି ଓ ଗଣମାଧ୍ୟମ’ ପ୍ରସଙ୍ଗରେ ମତ ରଖିଥିଲେ ଭାରତୀୟ ଜନତା ପାର୍ଟି ମୁଖପାତ୍ର ଗୋଲକ ମହାପାତ୍ର, କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ, ଆମ ଆଦମୀ ପାର୍ଟି ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ଓ ଟେଲିଗ୍ରାଫର ସାମ୍ବାଦିକ ଶୁଭାଶିଷ ମହାନ୍ତି। ଏହାକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ।
ଉତ୍ସବ ଆରମ୍ଭରେ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ରାମଚଣ୍ଡୀ ପ୍ରସାଦ ରଣସିଂହ।
ଉତ୍ସବ ଆୟୋଜନ କମିଟିର ସଦସ୍ୟ ହରିହର ପଣ୍ଡା, ସୁବ୍ରତ କୁମାର ନାୟକ, କିସାନ ବରାଇ, ଗାୟତ୍ରୀ ମାଭୁରୁ, ଗିରୀଶ ରଂଜନ, ସଚିନ ପ୍ରଧାନ, ପ୍ରଦ୍ୟୁମ୍ନ ମହାପାତ୍ର, ଆଶିଷ କୁମାର ରଥ, ଜିତେନ୍ଦ୍ର କୁମାର ଜେନା, ଶୁଭଶ୍ରୀ ମହାନ୍ତି ଓ ବୀରେନ୍ ସାହୁ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।