ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଶା ୟୁଥ୍ ଆଓ୍ଵାର୍ଡ’ ପାଇଛନ୍ତି ବାଲେଶ୍ୱରର କଳ୍ପାଶା ଅଙ୍କିତା ଶ। ‘ଓଡିଆ ମିଡିଆ’ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏକ ସମାରୋହରେ ଏହି ଆଓ୍ଵାର୍ଡ ଗ୍ରହଣ କରିଛନ୍ତି ‘ବାଲେଶ୍ଵର ସୁନ୍ଦରୀ’ କଳ୍ପାଶା ଅଙ୍କିତା ଶ। ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରି କଳ୍ପାଶା ଏହି ସମ୍ମାନଜନକ ଆଓ୍ଵାର୍ଡ ପାଇବା ପାଇଁ ମନୋନୀତ ହେଇଥିଲେ।

ଭୁବନେଶ୍ୱରଠାରେ ସୋମବାର ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ‘ଓଡ଼ିଆ ମିଡିଆ’ ପକ୍ଷରୁ ଆୟୋଜିତ ହୋଇଯାଇଛି ପ୍ରଥମ ‘ଓଡ଼ିଶା ଯୁବ ସମ୍ମାନ’ ସମାରୋହ। ବାଲେଶ୍ଵରରୁ ଉଦୀୟମାନ ଯୁବ ସମାଜସେବୀ କଳ୍ପାଶା ଅଙ୍କିତା ଶ ଏହି ସମାରୋହରେ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ। କଳ୍ପାଶା ସଂପ୍ରତି ନିଜର ‘ଅଙ୍କିତା ଶ ଫାଉଣ୍ଡେସନ’ର ବ୍ରାଣ୍ଡ୍ ଆମ୍ବାସାଡର୍ ଅଛନ୍ତି।

୪୦ ବର୍ଷରୁ କମ୍‌ ଯୁବ ବର୍ଗର ୧୬ ଜଣ ପ୍ରସିଦ୍ଧ, ସଫଳ ଓ ଉଦ୍‌ଯୋଗୀ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇ ଉତ୍ସାହିତ କରାଗଲା ବୋଲି ଆୟୋଜନ ସଂସ୍ଥା ପକ୍ଷରୁ ଏହାର ଅଧ୍ୟକ୍ଷ ଶୁଭ୍ରାଂଶୁ ପଣ୍ଡା ପ୍ରକାଶ କରିଥିଲେ।

ଏହି ସମାରୋହରେ ବରିଷ୍ଠ ରାଜନୀତିଜ୍ଞ ତଥା ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଓ ବରିଷ୍ଠ କଥାଶିଳ୍ପୀ ତଥା ଶିଶୁସାହିତ୍ୟିକ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ୟୁଥ୍ ଆଓ୍ଵାର୍ଡ ପ୍ରଦାନ କରିଥିଲେ।

୨୦୧୨ ମସିହାରେ ବିଉଟି କଣ୍ଟେଷ୍ଟରେ ମିସ୍ ବାଲେଶ୍ଵର କ୍ରାଉନ୍ ପିନ୍ଧିଥିବା କଳ୍ପାଶାଙ୍କୁ ଏହି ୟୁଥ୍ ଆଓ୍ଵାର୍ଡ ପ୍ରଦାନ କରାଯାଇଥିବାରୁ ସେ ‘ଓଡ଼ିଆ ମିଡିଆ’ ସଂସ୍ଥାକୁ କୃତଜ୍ଞତା ଜଣାଇଛନ୍ତି।

କଳ୍ପାଶାଙ୍କ ପିଲାଦିନର ସ୍ଵପ୍ନ ସେ ସମାଜରେ ନିମ୍ନବର୍ଗର ଲୋକମାନଙ୍କ ପାଇଁ ସବୁବେଳେ କାମ କରିବେ। ନିଃସହାୟ ଓ ଗରିବ ଲୋକଙ୍କ ପାଖରେ ସେ ସବୁବେଳେ ଅତି ଛୋଟ ବୟସରୁ ଛିଡ଼ା ହୋଇ ଆସୁଛନ୍ତି। ଅଙ୍କିତା ଶ ଫାଉଣ୍ଡେସନ ଗଢ଼ି ସେ ନିଜେ ଅଧ୍ୟକ୍ଷା ରହିବା ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀର ବିଦ୍ୟାର୍ଥୀଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଦେଉଛନ୍ତି। ବାଲେଶ୍ଵରରେ ଏକ ଜରା ନିବାସ ନିର୍ମାଣ ସହିତ ସବୁବେଳେ ଅସହାୟ ଲୋକଙ୍କ ସାହାରା ହୋଇ ରହିବାକୁ ଚାହାନ୍ତି ସେ।

ବାପା ରବୀନ୍ଦ୍ର ନାଥ ଶ ଏବଂ ମାଆ ରଶ୍ମି ଦାଶଙ୍କ କନ୍ୟା କଳ୍ପାଶା ସବୁବେଳେ ଗୋଟେ ପରିବର୍ତ୍ତନ ଆଣିବାରେ ପ୍ରୟାସୀ।

କଳ୍ପାଶାଙ୍କ ବ୍ୟତୀତ ବିଜୁ ଜନତା ଦଳ ନେତା ତଥା ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ସିନେ ନାୟିକା ଅର୍ଚ୍ଚିତା ସାହୁ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାସ୍ଵତ ଯୋଶୀ, ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ, ଇଣ୍ଟରନ୍ୟାସନାଲ ପବ୍ଲିକ୍‌ ସ୍କୁଲ ଫର୍‌ ରୁରାଲ ଇନୋଭେସନ୍‌ର ପ୍ରତିଷ୍ଠାତା ଅନୀଲ ପ୍ରଧାନ, ସ୍ଥାପତ୍ୟ କାରିଗର କାନ୍ତକିଶୋର ମହାରଣା, କଥାକାର ରବିନାରାୟଣ ଦାଶ, ସାମାଜିକ ଗଣମାଧ୍ୟମ କର୍ମୀ ରୁଦ୍ରପ୍ରସନ୍ନ ରଥ, ବାଜିରାଓ ଆଇଏଏସ୍‌ ଏକାଡେମୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ଶେଖର ଓଝା, ସିନେମା ଗୀତିକାର ସୁବ୍ରତ ସ୍ଵାଇଁ, ପୋଷଣ ଓ ସ୍ଵାସ୍ଥ୍ୟ ବିଶେଷଜ୍ଞ ସ୍ମୃତି ମହାପାତ୍ର, ଯୁବ ଔପନ୍ୟାସିକ ଅଭିଷେକ ପାଣି ଓ ଯୁବ ଉଦ୍ୟୋଗୀ ଅନୁକୁଳ ଅଗ୍ରଓ୍ୱାଲ ପ୍ରମୁଖ ଉପସ୍ଥିତ ରହି ଚଳିତବର୍ଷର ‘ଓଡ଼ିଶା ଯୁବ ସମ୍ମାନ’ ଗ୍ରହଣ କରିଥିଲେ।

Comment