ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସରେ ସମ୍ମାନିତ ହେଲେ ୧୦ ଜଣ ଯୁବ ଲେଖକ। ଓଡ଼ିଆ ମିଡିଆ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ‘ପେନ୍‌ ଇନ୍‌ ବୁକ୍ ଯୁବ ଲେଖକ ପୁରସ୍କାର ସମାରୋହ’ରେ ଏହି ଯୁବ ଲେଖକମାନଙ୍କୁ ସମ୍ମାନିତ କରାଯାଇଛି।

ରବିବାର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କଥାଶିଳ୍ପୀ ତଥା ଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ କବି ଓ ଆଲୋଚିକା ଅପର୍ଣ୍ଣା ମହାନ୍ତି, ଶିକ୍ଷାବିତ୍ ତଥା ବନ୍ୟପ୍ରାଣୀ ଫଟୋଗ୍ରାଫର ପଞ୍ଚମୀ ମାନୁ ଉକିଲ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ।

ଏ କାର୍ଯ୍ୟକ୍ରମରେ ୪୦ ବର୍ଷରୁ କମ୍ ବୟସର ମୋଟ ୧୦ ଜଣ ଯୁବ ଲେଖକଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କୃତ ଯୁବ ପ୍ରତିଭାଙ୍କ ମଧ୍ୟ୍ୟରେ ୭ ଜଣ ଓଡ଼ିଆ ଲେଖକ ଥିବା ବେଳେ ଜଣେ ହିନ୍ଦୀ ଓ ୨ ଜଣ ଇଂରାଜୀରେ ଲେଖକ ରହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଦାଶ ବେନହୁର କହିଥିଲେ ଯେ ପ୍ରକୃତି ଉପରେ ମଣିଷର ଅତ୍ୟାଚାର ବଢ଼ି ବଢ଼ି ଚାଲିଥିବାରୁ ମାନବ ସମାଜକୁ ନାନାଦି ପ୍ରକାର ବିପଦ ଗ୍ରାସ କରୁଛି। ଆଜି ବିଶ୍ୱ ବ୍ୟାପୀ ନାରୀ ଦିବସ ପାଳନ ହେଉଥିବା ବେଳେ ପ୍ରକୃତି ଆମର ସବୁଠୁ ବଡ଼ ମା’ ବୋଲି ସେ କହିଥିଲେ। ସେଇ ମା’ର ସୁରକ୍ଷା ପାଇଁ କଲମ ଚାଳନା କରିବାକୁ ଶ୍ରୀ ବେନହୁର ଆହ୍ୱାନ ଦେଇଥିଲେ।

ସେହିୁପରି ସାହିତ୍ୟ କେବଳ କଳ୍ପନାବିଳାଶ ନୁହେଁ। ଯାହା ସତ୍ୟ ତାହା ଯେତେ ଜଟିଳ ହେଲେ ବି ତାକୁ ସାହିତ୍ୟରେ ପରସିବାକୁ କହିଥିଲେ ମୁଖ୍ୟବକ୍ତା ଅପର୍ଣ୍ଣା ମହାନ୍ତି। ପ୍ରତିଟି ମଣିଷ ଭିତରେ ନାରୀପୁରୁଷ ଉଭୟ ସତ୍ତା ରହିଛି। ନାରୀ ସତ୍ତା ସୃଜନ କରୁଛି ଓ ପୁରୁଷ ସତ୍ତା ଏହାକୁ ସୁରକ୍ଷା ଦେଉଛି ବୋଲି ସେ କହିଥିଲେ। ସେହିପରି ସାହିତକୁ ପ୍ରକୃତି ସହ ଯୋଡ଼ିବାର ସମୟ ଆସିଛି ବୋଲି କହିଥିଲେ ପଞ୍ଚମୀ ମାନୁ ଉକିଲ। ଓଡିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସମାରୋହରେ ସଭାପତିତ୍ୱ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରସ୍କାର ସମାରୋହ ପରେ ନାରୀ ପ୍ରସଙ୍ଗକୁ ନେଇ ବହୁଭାଷୀ କବିତା ପାଠ ହୋଇଥିଲା। ଅଗ୍ନିବେଶ ମହାପାତ୍ର ଓ ତୁଳୀକା ବିବିଧରଂଗଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ଉତ୍ସବରେ ୨୦ ଜଣ କବି ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ କବିତା ପାଠ କରିଥିଲେ।

Comment