ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବାଲ୍ୟ ବିବାହ ରୋକିବା ଦିଗରେ ରାୟଗଡା ଜିଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ରାଜ୍ୟସ୍ତରରେ ପ୍ରଶଂସା କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲା ପ୍ରଶାସନ ଦ୍ୱାରା ଗୋଟିଏ ଦିନରେ ୩ ଲକ୍ଷ ୫୦ହଜାର ଲୋକ ନିଜ ନିଜ ଅଞ୍ଚଳରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଶପଥ ଗ୍ରହଣ କରିଥିଲେ। ଏଥିପାଇଁ ରାଜ୍ୟସ୍ତରରେ ଉଚ୍ଚ ପ୍ରଶଂସା ସାଉଁଟିଛି ଜିଲ୍ଲା ପ୍ରଶାସନ।

ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ସକାଶେ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଖସଡ଼ା ଓ ସଚେତନତା କର୍ଯ୍ୟକ୍ରମକୁ ସଫଳତାର ସହ ଆଗକୁ ନେଇଛି। ସେହିପରି ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ପ୍ରତି ଧ୍ୟାନଦେଇ କାର୍ଯ୍ୟକ୍ରମଗୁଡିକ ତଦାରଖ କରିବାରେ ପ୍ରଶାସନ ସଫଳ ହୋଇଛି। ଏଥିପାଇଁ ମଙ୍ଗଳବାର ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସମ୍ବର୍ଦ୍ଧିତ କରିଛି।

ରାଜ୍ୟ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଏନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶଚନ୍ଦ୍ର ନାୟକଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ମହିଳା ଓ ଶିଶୁ କଲ୍ୟଣ ସଚିବ ଅନୁ ଗର୍ଗ, ସେସୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ବ୍ରୋଥ୍ରା, ଆକ୍ସନୟେଡ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦିପ ଚାତ୍ରା, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ପ୍ରଶଂସାପତ୍ର ସୋମବାର ଜିଲ୍ଲା ମୁଖ୍ୟାଳୟସ୍ଥିତ ସଦଭାବନା ସମ୍ମିଳନୀ ସଭାଗୃହରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଆଦିପତି କଅଁର, ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱଲଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ସମ୍ମାନପତ୍ର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରାଯାଇଛି।

Comment