ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ ଆକ୍ରାନ୍ତ ହୋଇ ଦେଶ ଓ ରାଜ୍ୟରେ ଏଯାବତ୍ ୧ଶହରୁ ଅଧିକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କରୋନା ଟିକା ଦିଆଯାଉ ବୋଲି ଦାବି ରହିଛି।

ଗରିବ ଦିନ ମଜୁରିଆ ଶ୍ରେଣୀଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ମନ୍ତ୍ରୀ, ଅଭିନେତା, ଅଭିନେତ୍ରୀ, ଶିଳ୍ପପତି, ଉଦ୍ୟୋଗୀ କେହି ଏ କରୋନା ମହାମାରୀ କବଳରୁ ବାଦ୍ ପଡ଼ୁନାହାନ୍ତି। ମହମାରୀ ସମୟରେ ଲୋକମାନଙ୍କୁ ସତର୍କ, ସଚେତନ ଓ କରୋନା ସମ୍ବନ୍ଧୀୟ ଟିକ୍‌ନିକ୍ ଖବର ପହଞ୍ଚାଇବାରେ ମୁଖ୍ୟ ଭୂମିକା ତୁଲାଉଥିବା ସାମ୍ବାଦିକମାନଙ୍କୁ ବି ଛାଡ଼ିନି କରୋନା ଭୂତାଣୁ।

ଲକ୍‌ଡାଉନ୍ ସଟ୍‌ଡାଉନ୍ ସମୟରେ ଜନସାଧାରଣ ନିଜ ପରିବାର ସହ ଘରେ ରହିଥିବାବେଳେ, ଭୂତାଣୁକୁ ଖାତିର ନକରି ବାହାରେ ବୁଲି ଖବର ସଂଗ୍ରହ କରିଥାନ୍ତି ଏହି ସାମ୍ବାଦିକ ମାନେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ସାମ୍ବାଦିକମାନଙ୍କ ପାଇଁ ଆମେ ବାହାର ଦୁନିଆ ସମ୍ପର୍କରେ ଜାଣିଥାନ୍ତି। କିନ୍ତୁ ଦୁଃଖର ବିଷୟ ଏକ ରିପୋର୍ଟ ମୂତାବକ, ୧ ଏପ୍ରିଲ ୨୦୨୦ଠାରୁ ୨୮ଏପ୍ରିଲ ୨୦୨୧ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୧୦୧ ଜଣ ସାମ୍ବାଦିକଙ୍କ ଜୀବନ ନେଇଛି ମହାମାରୀ କରୋନା। ଏଥିମଧ୍ୟରୁ ସର୍ବାଧିକ ସାମ୍ବାଦିକ ଉତ୍ତରପ୍ରଦେଶର ହୋଇଥିବାବେଳେ, ତେଲାଙ୍ଗାନା ଓ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି।ରୋହିତ ସରଦାନା

ବରିଷ୍ଠ ଟିଭି ସାମ୍ବାଦିକ ଥିଲେ ରୋହିତ ସରଦାନା। ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଆଜି ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି। ୨୦୧୮ ମସିହାରେ ସେ ଗଣେଶ ବିଦ୍ୟାର୍ଥୀ ପୁରସ୍କାର ପାଇଥିଲେ। ୨୦୧୭ରେ ସେ ଆଜତକ୍‌ରେ ନ୍ୟୁଜ ଆଙ୍କର ଭାବରେ କାମ ଆରମ୍ଭ କରିଥିଲେ। ବିତର୍କ ସୋ’ ‘ଦଙ୍ଗଲ’ର ହୋଷ୍ଟ କରି ସେ ଲୋକଙ୍କ ନିକଟତର ହୋଇପାରିଥିଲେ।

ରାଜୁ ମିଶ୍ର

ବରିଷ୍ଠ ସାମ୍ବାଦିକ ରାଜୁ ମିଶ୍ରଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ବର୍ଷ ହୋଇଥିଲା। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେ ନିଜ ଘରେ ସଙ୍ଗରୋଧରେ ରହିଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ତାଙ୍କୁ ଏକ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ସାମ୍ବାଦିକ ଜଣଙ୍କ ବିଭିନ୍ନ ଗଣମାଧ୍ୟମ ସହ ଜଡ଼ିତ ଥିଲେ।ମାନସ ରଞ୍ଜନ ଜୟପୁରୀଆ

ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ଥିଲେ ମାନସ ରଞ୍ଜନ ଜୟପୁରୀଆ। କରୋନା ପଜିଟିଭ୍ ଚିହ୍ନଟ ହେବାପରେ, ସେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ବରିଷ୍ଠ ସାମ୍ବାଦିକ ଜଣଙ୍କ ଓଡ଼ିଆ ଗଣମାଧ୍ୟମ ସହ ଜଡ଼ିତ ଥିଲେ। ନୂଆଦିଲ୍ଲୀ ସ୍ଥିତ ଜି ମିଡିଆରେ କାମ କରୁଥିବା ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଚିକିତ୍ସା ପାଇଁ ସେ ଓଡ଼ିଶା ଫେରିଆସିଥିଲେ।ଅମଜଦ୍ ବାଦ୍‌ଶାହା

ଓଡ଼ିଶାର ଜଣେ ବରିଷ୍ଠ ସାମ୍ଵାଦିକ ଅମଜଦ୍ ବାଦ୍‌ଶାହାଙ୍କ କରୋନାରେ ପରଲୋକ ହୋଇଛି। କିଛି ଦିନ ତଳେ ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ଥିତି ବିଗିଡ଼ିବାରୁ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ହୋଇଛି। ସେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରୁ ସାମ୍ଵାଦିକତା ଅଧ୍ୟୟନ କରିଥିଲେ। ଏହାପରେ ୨୦୦୫ରେ ଇ-ଟିଭିରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ରାଜ୍ୟର ଅନେକ ଅଗ୍ରଣୀ ଟେଲିଭିଜନରେ ସାମ୍ବାଦିକ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଦି ସୋସିଓକ୍ରାଟ ଓ ଏନଏଫ୍ ଟିଭିର କନସଲ୍‌ଣ୍ଟିଂ ଏଡିଟର ଭାବେ ସେ ଦାୟିତ୍ଵ ତୁଲାଉଥିଲେ।

କାର୍ତ୍ତିକ ସାହାଣୀ

ବରିଷ୍ଠ ସାମ୍ବାଦିକ କାର୍ତ୍ତିକ ସାହାଣୀଙ୍କର କରୋନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ। ସାହାଣୀ ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ‘ଦିନଲିପି’ ଏବଂ ‘ସମୟ’ରେ କାମ କରିଥିଲେ। ଶୀ ସାହାଣୀଙ୍କ ଜନ୍ମ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ଅଚକ ଗାଁରେ ହୋଇଥିଲା।

ଗୋବିନ୍ଦ ବେହେରା

ନ୍ୟୁଜ-୬ ଏବଂ ଓଡିଶା ଏକ୍ସପ୍ରେସ ଭଳି ୱେବ ପୋର୍ଟାଲରେ କାମ କରୁଥିବା କୁକୁଡାଖଣ୍ଡିର ଯୁବ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ରହିଥିଲା। ଶେଷରେ ତାଙ୍କର କରୋନାରେ ମୃତ୍ୟୁ ହୋଇଛି।ମନୋଜ କୁମାର ସାହୁ

ନିତିଦିନ ଦୈନିକ ଖବରକାଗଜର ପ୍ରତିନିଧି ମନୋଜ କୁମାର ସାହୁଙ୍କର କରୋନାରେ ମୃତ୍ୟୁ ହୋଇଛି। ସେ ବ୍ରହ୍ନପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶ୍ୱାସକ୍ରିୟାରେ ସମସ୍ୟା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାପରେ ସେ ଆଖି ବୁଜିଥିବା ସୂଚନା ରହିଛି।

କରୁଣାକର ସାହୁ

ଅନୁପମ ଭାରତର ବ୍ଲକ ପ୍ରତିନିଧି ଥିଲେ କରୁଣାକର ସାହୁ। ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବାପରେ ତାଙ୍କୁ ହିଞ୍ଜିଳିକାଟୁ ସବ ଡିଭିଜନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଭାନୁପ୍ରକାଶ ରଥ

କଳାହାଣ୍ଡି ଜିଲ୍ଲାର ସାମ୍ବାଦିକ ଭାନୁପ୍ରକାଶ ରଥ କୋରୋନାରେ ଆକ୍ରାନ୍ତ ହୋଇଥିଲେ। ଅଧିକ ଚିକିତ୍ସା ପାଇଁ ସେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡ଼ିଓରେ ଉଦଘୋଷକ ଭାବରେ କାମ କରି ଆସୁଥିଲେ। ସେ ଏକା ଧାରାରେ ଜଣେ ସାମ୍ବାଦିକ, ଅଭିନେତା ଓ ରାଜନୈତିଜ୍ଞ ଥିଲେ।

ରମେଶସେନ୍ ମୁଣ୍ଡା

କେନ୍ଦୁଝର ଜିଲ୍ଲାର ସାମ୍ବାଦିକ ରମେଶସେନ୍ ମୁଣ୍ଡା କୋରୋନାରେ ଆକ୍ରାନ୍ତ ହୋଇଥିଲେ। ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ରମେଶ ଏକ ୱେବ ଚ୍ୟାନେଲର ପ୍ରତିନିଧି ଭାବରେ କାମ କରୁଥିଲେ।ଓଡ଼ିଶା ସରକାରଙ୍କ ସହାୟତା

କରୋନା ମହାମାରୀ ସମୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କର କାର୍ଯ୍ୟ କରୁଛନ୍ତି। ଏହି ସମୟରେ ଯଦି କୌଣସି କାର୍ଯ୍ୟରତ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି, ତେବେ ସେହି କ୍ଷେତ୍ରରେ ଓଡ଼ିଶା ସରକାର ଉକ୍ତ ସାମ୍ବିଦକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବା ପାଇଁ ଘୋଷଣା କରିଥିଲେ।

ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଦାବି

ସମ୍ମୁଖ ଯୋଦ୍ଧାଭାବେ ଅଗ୍ରାଧିକାର ଭିତ୍ତିରେ ସାମ୍ବାଦିକଙ୍କୁ କରୋନା ଟିକା ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ ରାଜ୍ୟ ସରକାର। ଚିଠି ମାଧ୍ୟମରେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ଟିକାକରଣ କରିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ଏଯାବତ୍ କେନ୍ଦ୍ର ସରକାର ଏ ଦିଗରେ ଦୃଷ୍ଟି ଦେଇଥିବା ମନେ ହେଉନାହିଁ। ଓଡ଼ିଶାର ଅନେକ ସାମ୍ବାଦିକ ରହିଛନ୍ତି, ଯେଉଁମାନେ ଏବେ ପର୍ଯ୍ୟନ୍ତ ଟିକା ଦେଇ ପାରୁନାହାଁନ୍ତି। ଟିକାକରଣ କେନ୍ଦ୍ରକୁ ଯାଇ ଫେରି ଆସୁଥିବାର ନଜିର ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଉ ବୋଲି ସାମ୍ବାଦିକ ମହଲରେ ଦାବି ହେଉଛି।

Comment