ଓଡ଼ିଶାଲାଇଭ୍ ବ୍ୟୁରୋ

ମହାମାରୀ କରୋନାର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଅଧିକ ଲୋକଙ୍କ ଜୀବନ ନେଇଛି। ଦ୍ଵିତୀୟ ଲହରରେ ୪୦ ପ୍ରତିଶତ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।  କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଲୋକଙ୍କ ତଥ୍ୟକୁ ବିଶ୍ଲେଷଣ କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏକାଧିକ ଘରୋଇ ହସ୍ପିଟାଲକୁ ପରିଚାଳନା କରୁଥିବା ମାକ୍ସ ହେଲ୍‌ଥ କେୟାର ଗ୍ରୁପ ପକ୍ଷରୁ ଏହି ସର୍ଭେ କରାଯାଇଥିଲା।

ସର୍ଭେର ଫଳାଫଳ ଅନୁଯାୟୀ, କରୋନାର ପ୍ରଥମ ଲହର ଏତେ ଘାତକ ନଥିଲା। କିନ୍ତୁ ଦ୍ୱିତୀୟ ଲହର ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ଓ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ହୋଇଥିଲା, ଯାହା ପ୍ରାୟ ୪୦ ପ୍ରତିଶତ ରହିଥିଲା। କରୋନାର ଦ୍ୱିତୀୟ ଲହର ସମୟ ଅର୍ଥାତ ଚଳିତ ବର୍ଷ ଜାନୁଆରିରୁ ଜୁନ୍‌ ମଧ୍ୟ ଭାଗ ଯାଏଁ ମୋଟ ୫,୪୫୪ ଜଣ କୋଭିଡ୍ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିମଧ୍ୟରୁ ମୃତ୍ୟୁସଂଖ୍ୟା ୧୦.୫ ପ୍ରତିଶତ ରହିଥିଲା।oxygen_covid19_indiaପ୍ରଥମ ଲହର ଅର୍ଥାତ ୨୦୨୦ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୪,୩୯୮ ଜଣ ରୋଗୀଙ୍କ ମଧ୍ୟରେ ମୃତ୍ୟୁହାର ୭.୨ ପ୍ରତିଶତ ଥିଲା। ମାକ୍ସ ହେଲଥ କେୟାର ପକ୍ଷରୁ ଉତ୍ତର ଭାରତରେ ପରିଚାଳିତ ୧୦ଟି ହସ୍ପିଟାଲର ତଥ୍ୟକୁ ଆଧାରରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏହା ମଧ୍ୟରୁ ୬ଟି ହସ୍ପିଟାଲ ଦିଲ୍ଲୀରେ ରହିଛି।

ସର୍ଭେର ନେତୃତ୍ୱ ନେଉଥିବା ଡାକ୍ତର ସନ୍ଦୀପ ବୁଦ୍ଧିରାଜଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ଲହର ବେଳେ କରୋନା ଆକ୍ରାନ୍ତ ଯୁବକମାନଙ୍କ ମୃତ୍ୟୁସଂଖ୍ୟା ହଠାତ ବଢ଼ି ଯାଇଥିଲା। ଅଧିକାଂଶ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ବୟସ ୪୫ ବର୍ଷରୁ କମ। ପ୍ରଥମ ଲହର ବେଳେ ୪୫ ବର୍ଷରୁ କମ ବୟସ୍କ ମୃତ୍ୟୁହାର ୧.୩ ପ୍ରତିଶତ ଥିବା ବେଳେ ଦ୍ୱିତୀୟ ଲହରରେ ଏହା ୩ ଗୁଣା ବୃଦ୍ଧି ପାଇ ୪.୧ ପ୍ରତିଶତରେ ରହିଥିଲା।କେବଳ ଯୁବ ବର୍ଗର ନୁହନ୍ତି, ଦ୍ୱିତୀୟ ଲହର ବେଳେ ଅନ୍ୟ ବୟସ ବର୍ଗର ଲୋକଙ୍କ ମୃତ୍ୟୁହାର ମଧ୍ୟ ବେଶ୍ ବୃଦ୍ଧି ପାଇଥିଲା। ୪୫ରୁ ୫୯ ବର୍ଷ ବର୍ଗରେ ଥିବା ଲୋକଙ୍କ ମୃତ୍ୟୁହାର ପ୍ରଥମ ୱେଭ ବେଳେ ୫ ପ୍ରତିଶତ ଥିବାବେଳେ ଦ୍ୱିତୀୟ ଲହର ବେଳେ ୭.୬ ପ୍ରତିଶତ ହୋଇଯାଇଛି। ୬୦ରୁ ୭୪ ବର୍ଷ ବର୍ଗରେ ଥିବା ଲୋକଙ୍କ ମୃତ୍ୟୁହାର ୧୨ ପ୍ରତିଶତରୁ ୧୩.୮ ପ୍ରତିଶତ ଓ ୭୫ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଏହା ୧୮.୯ ପ୍ରତିଶତରୁ ବୃଦ୍ଧି ପାଇ ୨୬ ପ୍ରତିଶତରେ ପହଞ୍ଚିଛି।

Comment