ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରାର ବିଭିନ୍ନ ନୀତି ମଧ୍ୟରୁ ଅଧରପଣା ହେଉଛି ବିଶେଷ ନୀତି। ଆଜି ଏହି ଅଧରପଣା ନୀତି ନିତି ରଥରେ ଅନୁଷ୍ଠିତ ହେଉଛି। ଏହି ନୀତି ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଲାଗିଛି।

ରଥରେ ପଣା ପ୍ରସ୍ତୁତି ଚାଲିଛି। ସେବାୟତମାନେ ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ରଥ ଉପରେ ପଣା ପ୍ରସ୍ତୁତି ଚାଲିଛି। ଏହି ପଣାକୁ ତିନି ରଥରେ ଶ୍ରୀଜୀଉଙ୍କ ଅଧର ଉଚ୍ଚର ତିନୋଟି ଲେଖାଏଁ ମାଟି ପାତ୍ରରେ ରଖାଯିବ।

ପୂଜାର୍ଚ୍ଚନା ପରେ ମାଟି ପାତ୍ରକୁ ଭଙ୍ଗା ଯିବ। ଏହି ପଣା ରଥଗୁଡ଼ିକରେ ଥିବା ପାର୍ଶ୍ଵ ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥତଳକୁ ବୋହିଯାଏ। ତାହାକୁ ଅନ୍ୟ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି କୁହାଯାଏ।

ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ। ଆସନ୍ତାକାଲି ମହାପ୍ରଭୁ ନୀଳାଦ୍ରି ବିଜେ କରିବେ।

Comment