ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ଗୋଟି ପହଣ୍ଡିରେ ବଡ଼ ଦେଉଳକୁ ପ୍ରବେଶ କରୁଛନ୍ତି ବଡ଼ଭାଇ ବଳଦେବ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ। ଏହାକୁ ଶ୍ରୀଜୀଉମାନଙ୍କ ବଡ଼ ଦେଉଳ ପ୍ରବେଶ ବା ନୀଳାଦ୍ରି ବିଜେ ବୋଲି କୁହାଯାଏ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଧୂପ ନୀତି ପରେ, ଚାରମାଳ ନୀତି ସରିବା ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରୁଛନ୍ତି ବଡ଼ ଭାଇ ବଳଦେବ। ଘଣ୍ଟ ଘଣ୍ଟାରେ ଫାଟି ପଡ଼ୁଛି ସିଂହଦ୍ୱାର।

ପ୍ରଥମେ ଗୋଟି ପହଣ୍ଡିରେ ବଡ଼ଭାଇ ବଳଦେବ, ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ରତ୍ନସିଂହାସନରେ ବିଜେ କରିବେ। ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ନୀତି କରାଯିବ।

ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥାନ୍ତି। ଏହାପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ। ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ।

ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ବଢିଥାଏ। ଜଗମୋହନଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ। ଗୁଣ୍ଡିଚା ମନ୍ଦିରଠାରେ ରଥ ଉପରୁ ଠାକୁରମାନେ ଗୁଣ୍ଡିଚା ଘର ରତ୍ନସିଂହାସନକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ପ୍ରକାର ନୀତି ଅନୁସୃତ ହୋଇଥାଏ, ଠିକ୍ ସେହିପରି ସିଂହଦ୍ଵାରଠାରେ ନିଳାଦ୍ରୀ ବିଜେ ପହଣ୍ଡିରେ ସମନୀତି ପାଳିତ ହୁଏ।

ବର୍ଷକୁ ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ନୀଳାଦ୍ରିବିଜେ ସମୟରେ ଜଗନ୍ନାଥ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରାଯାଏ।

Comment