ଓଡ଼ିଶାଲାଇଭ୍ ବ୍ୟୁରୋ

‘ଭାରତର କ୍ରୀଡ଼ା ରାଜଧାନୀ ଭାବେ ଓଡ଼ିଶା ଆଉ ପାଦେ ଆଗକୁ ବଢିଲା’

କଟକ : ‘‘କ୍ରୀଡ଼ା ଶୃଙ୍ଖଳାର ଅନ୍ୟ ନାମ। କ୍ରୀଡ଼ାବିତଙ୍କ ଜୀବନରେ ଏହାର ଗୁରୁତ୍ୱ ବେଶ୍ ଅଧିକ। ବିଜୟ, ପରାଜୟ ପ୍ରତିଟି ଖେଳର ଅଂଶବିଶେଷ। ଏଥିପାଇଁ ଚିନ୍ତିତ ନହୋଇ ଜୋସ୍‌ର ସହିତ ଖେଳିପାରିଲେ କ୍ରୀଡ଼ାବିତ ନିଜ ଭିତରର ଖେଳୁଆଡ ମନୋଭାବର ପରିଚୟ ଦେଇଥାଏ। ସେଥିପାଇଁ ଜୟ ଜଗନ୍ନାଥ କହି ପ୍ରତିଯୋଗିତାକୁ ଓହ୍ଲାଅ, ବିଜୟ ଓ ପରାଜୟକୁ ସମୟ ଉପରେ ଛାଡ଼ିଦିଅ।’’

କଟକ ଜବାହରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମଠାରେ ବୁଧବାର ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌କୁ ଉଦଘାଟନ କରି ଖେଳାଳିଙ୍କୁ ଏହି ମନ୍ତ୍ର ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

୧୨ ଦେଶକୁ ନେଇ ଆୟୋଜିତ ଏହି ମେଗା କ୍ରୀଡ଼ା ପ୍ରତିଯୋଗିତା ବୁଧବାରଠୁ ଆରମ୍ଭ ହୋଇଛି। ଭାରତ ସମେତ ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ୍, ଇଂଲଣ୍ଡ, ମାଲେସିଆ, ଶ୍ରୀଲଙ୍କା, ନାଇଜେରିଆ, ସ୍କଟଲାଣ୍ଡ, ଦକ୍ଷିଣଆଫ୍ରିକା, ସିଙ୍ଗାପୋର ଏବଂ ୱେଲ୍ସ  ଏହି ଚାମ୍ପିଅନସିପ୍‌ରେ ଅଂଶଗ୍ରହଣ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ୍ ଏହି ଚାମ୍ପିଅନସିପ୍‌ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ।

ସେ କହିଥିଲେ, ‘‘ଓଡ଼ିଶା ଭାରତର ନୂଆ କ୍ରୀଡ଼ା ରାଜଧାନୀ ଭାବେ ପରିଚୟ ହାସଲ କରିଛି। ହକି ବିଶ୍ୱକପ୍‌, ଦକ୍ଷିଣଏସୀୟ ଆଥଲେଟିକ୍ସ ଭଳି ବିଭିନ୍ନ ଅନ୍ତର୍ଜାତୀୟ ମେଗା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ନିଜ ଦମ୍ ଦେଖାଇଛି। ଏଭଳି ଜୟଯାତ୍ରା ଆଗକୁ ବି ଜାରି ରହିବ। କ୍ରୀଡ଼ା ଆୟୋଜନ ସହିତ ଭିତ୍ତିଭୂମି ଏବଂ କ୍ରୀଡ଼ାବିତ୍ ସୃଷ୍ଟି କରିବା ଦିଗରେ ଅମ ପ୍ରଚେଷ୍ଟା ଜାରି ରହିଛି।’’

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ ଆୟୋଜନ ଓଡ଼ିଶା ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି। ୨୦୨୦ ଟୋକୋୟ ଅଲମ୍ପିକ୍ସ ପୂର୍ବରୁ ଖେଳାଳିମାନଙ୍କୁ ସେମାନଙ୍କ ଦକ୍ଷତା ଦେଖାଇବାର ଏହା ଏକ ସୁଯୋଗ ବୋଲି କ୍ରୀଡ଼ାମନ୍ତ୍ରୀ କହିଥିଲେ।

ଓଡ଼ିଶା ଟେବୁଲ୍ ଟେନିସ୍ ସଂଘର ସଭାପତି ଏଲ୍ ଏନ୍ ଗୁପ୍ତା କହିଥିଲେ,‘‘ଓଡ଼ିଶାରେ ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ଭାରତୀୟ କ୍ରୀଡ଼ା ଜଗତରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଅନ୍ତର୍ଜାତୀୟ ଖେଳାଳିଙ୍କ ଆଗମନ ଓଡ଼ିଶାର ଯୁବବର୍ଗଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବ।’’

ଅନ୍ୟ ସମ୍ମାନିତ ଅତିଥିଙ୍କ ମଧ୍ୟରେ ରାଜ୍ୟଗୋଷ୍ଠୀ ସଂଘର ଚେୟାରମ୍ୟାନ୍ ଇଂଲଣ୍ଡର ଏଲ୍ ଏନ୍ ରାୟନସନ୍, ସଚିବ ଚାଙ୍ଗ୍ ଫୁଙ୍ଗ୍, ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘର ଉପସଭାପତି ସଞ୍ଜୟ ସିଂହ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ପ୍ରମୁଖ ଉପସ୍ଥିତ ଥିଲେ।

କ୍ରୀଡ଼ା ସଚିବ ବିଶାଲ୍ ଦେବ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ରାଜ୍ୟ ଟେବୁଲ୍ ଟେନିସ୍ ସଂଘର ଉପସଭାପତି ସଞ୍ଜୟ ସିଂହ।

ଏହି ପ୍ରତିଯୋଗିତା ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପୁରୁଷ ଟିମ୍ ଇଭେଣ୍ଟ୍, ମହିଳା ଟିମ୍ ଇଭେଣ୍ଟ, ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟ, ମହିଳା ସିଙ୍ଗିଲ୍ସ ଇଭେଣ୍ଟ, ପୁରୁଷ ଡବଲ୍ସ, ମହିଳା ଡବଲ୍ସ, ମିକ୍ସ ଡବଲ୍ସ ପ୍ରତିଯୋଗିତା ହେବ।

Comment