ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

‘ଏଥର ବିଜୟ’ – ଏହି ସ୍ଲୋଗାନକୁ ନେଇ ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି ଷ୍ଟାର କ୍ୟାମ୍ପେନର।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର) : ପାଟକୁରା ଏବେ ବିଜେପି ପାଇଁ ଚାଲେଞ୍ଜ। ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ପାଟକୁରା ଆସନରୁ ଲଢୁଥିବାରୁ ତାଙ୍କୁ ଜିତାଇବା ବିଜେପି ପାଇଁ ସମ୍ମାନର ବିଷୟ ହୋଇଛି। ଏଥିପାଇଁ ବିଜେପିର ଷ୍ଟାର ପ୍ରଚାରକମାନେ ପାଟକୁରାରେ ବିଜୟଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି।

ତେବେ ଏହି ଷ୍ଟାର ପ୍ରଚାରକଙ୍କ ପ୍ରଚାର ବିଜୟଙ୍କ ପାଇଁ କେତେ ସହାୟକ ହେବ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପାଟଣାଗଡ଼ର ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ହେଉଛନ୍ତି ଓଡ଼ିଶା ବିଜେପିର ଜଣାଶୁଣା ଚେହେରା। ଏମାନେ ପାଟକୁରାରେ ବିଜୟଙ୍କ ପାଇଁ ପ୍ରଚାର କରିଛନ୍ତି। ଏହାସହ ବିଜେପି ପ୍ରଭାରୀ ଅରୁଣ ସିଂହ ମଧ୍ୟ ବିଜୟଙ୍କ ପାଇଁ ପ୍ରଚାର କରିଛନ୍ତି। ବିଜୟ ପାଟକୁରାରର ପୁଅ ହୋଇଥିବାରୁ ଏଥର ତାଙ୍କ ବିଜୟକୁ କେହି ରୋକି ପାରିବେ ନାହିଁ ବୋଲି ଏମାନେ କହିଛନ୍ତି।

ଚା’ ଖଟିରେ ବସିଲେ, ବାଇକରେ ପ୍ରଚାର କଲେ ବୈଜୟନ୍ତ

ପାଟକୁରା ନିର୍ବାଚନ ମଇଦାନରେ ସମସ୍ତଙ୍କ ଫୋକସ୍ ପଏଣ୍ଟରେ ଅଛି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର। ବୈଜୟନ୍ତ ତାଙ୍କ ଷ୍ଟାଇଲରେ ବିଜୟଙ୍କ ପାଇଁ ଗାଁ ଗାଁ ବୁଲୁଛନ୍ତି। କେତେବେଳେ ବିଜୟଙ୍କ ପ୍ରଚାର ଗାଡ଼ିରେ ଛିଡ଼ା ହୋଇ ରୋଡ୍‌ ସୋ’ କରୁଛନ୍ତି ତ ପୁଣି କେତେବେଳେ ସମର୍ଥକଙ୍କୁ ନେଇ ବାଇକ ରାଲି କରି ଭୋଟରଙ୍କ ନିକଟତର ହେଉଛନ୍ତି। ନିଜେ ବାଇକ୍ ଚଳାଇ ଭୋଟରଙ୍କୁ ଭେଟୁଛନ୍ତି ବୈଜୟନ୍ତ। ଏହାସହ ଚା’ ଖଟିରେ ବସି ଲୋକଙ୍କ ସହ ମିଶୁଛନ୍ତି। ବିଜୟଙ୍କୁ ଜିତାଇବା ଲାଗି ବୈଜୟନ୍ତ ପାଟକୁରାରେ ଡେରା ପକାଇଛନ୍ତି।

ଅପରାଜିତାଙ୍କ ରୋଡ ସୋ’

ଓଡ଼ିଶା ବିଜେପିର ପୋଷ୍ଟରଗର୍ଲ କୁହାଯାଉଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବି ପାଟକୁରା ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଛି। ଅପରାଜିତା ବିଜୟଙ୍କ ପ୍ରଚାର ଗାଡ଼ିରେ ଛିଡ଼ା ହୋଇ ଗାଁ ଗାଁ ବୁଲି ରୋଡ୍‌ ସୋ’ କରୁଛନ୍ତି।

ଅପରାଜିତା ଗତ ଜୁନ୍ ୧୪ରେ ପାଟକୁରାରେ ରୋଡ୍ ସୋ’ କରିଥିଲେ। ଗାଁ ଗାଁ ବୁଲି ମହିଳା ଭୋଟରଙ୍କୁ ଭେଟିଥିଲେ। ବିଜୟଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ। ଯେତେବେଳେ ବିଜେପିର ଅନ୍ୟ ଷ୍ଟାର ପ୍ରଚାରକମାନେ ପାଟକୁରା ଆସି ନଥିଲେ ସେତେବେଳେ ଅପରାଜିତା ହିଁ ପ୍ରଥମେ ପାଟକୁରାରେ ପ୍ରଚାର କରି ରାଜନୀତି ପାଣିପାଗକୁ ସରଗରମ କରିଥିଲେ।

ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର

ଓଡ଼ିଶା ବିଜେପିର ପୋଷ୍ଟରବୟ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜୟଙ୍କ ପାଇଁ ପାଟକୁରାରେ ପ୍ରଚାର କରିଛନ୍ତି।

ଗତ ୧୪ ତାରିଖରେ ଧର୍ମେନ୍ଦ୍ର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ନରେନ୍ଦ୍ରପୁର ପଞ୍ଚାୟତରୁ ସେ ପ୍ରଚାର ଆରମ୍ଭ କରିଥିଲେ। ୧୦ରୁ ଅଧିକ ପଞ୍ଚାୟତରେ ରୋଡ ସୋ’ କରି ଧର୍ମେନ୍ଦ୍ର ବିଜୟଙ୍କ ପାଇଁ ଭୋଟ ମାଗିଥିଲେ।

ଧର୍ମେନ୍ଦ୍ର ମଧୁ ଛକ, ସାନବେତରା ହନୁମାନ ଛକ, ନାଗଣପୁର, ବଡ଼ବେତରା ଛକ, କୁସୁନପୁର ରଥ ସାହି, ଭଗବାନପୁର, ଗଜପୁର, ଚାଞ୍ଚୋଇ, କୋରୁଆ, ହରିପୁର, ଟକନପୁର, ବେହୁଳା, ନଡ଼ିଆବାରେଣୀ, ଓସ୍ତପୁରରେ ରୋଡ ସୋ’ କରି ବିଜୟଙ୍କ ପାଇଁ ପ୍ରଚାର କରିଥିଲେ।

‘‘ବିଜୟ ମହାପାତ୍ର ବାରମ୍ବାର ରାଜନୀତିକ ଷଡ଼ଯନ୍ତ୍ରର ଶୀକାର ହୋଇଛନ୍ତି। କିନ୍ତୁ ଏଥର ତାଙ୍କ ବିଜୟକୁ କେହି ରୋକିପାରିବେ ନାହିଁ। ପାଟକୁରାବାସୀ ଷଡ଼ଯନ୍ତ୍ରକାରୀଙ୍କୁ ଏଥର ନିର୍ବାଚନରେ ଉଚିତ ଜବାବ ଦେବେ’’, କହିଥିଲେ ଧର୍ମେନ୍ଦ୍ର ପ୍ରଧାନ।

ମୁଖ୍ୟ ଆକର୍ଷଣ ପ୍ରତାପ ଷଡ଼ଙ୍ଗୀ

ବିଜୟଙ୍କ ପ୍ରଚାର ରଥରେ ଗତ ବୁଧବାର ଦିନ ମଙ୍ଗ ସମ୍ଭାଳିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ବିଭିନ୍ନ ପଞ୍ଚାୟତରେ ପ୍ରତାପ ରୋଡ୍‌ ସୋ’ କରି ବିଜୟଙ୍କ ପାଇଁ ଭୋଟ ମାଗିଥିଲେ। ଏହାସହ ନବୀନ ସରକାରଙ୍କ ଉପରେ ବର୍ଷିଥିଲେ ପ୍ରତାପ।

‘‘ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ବିଜେଡି ଶାସନ ଅମଳରେ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ପାଟକୁରାବାସୀ ଏଥର ତାଙ୍କୁ ଉଚିତ ଜବାବ ଦେବେ’’, କହିଥିଲେ ପ୍ରତାପ।

ପ୍ରତାପ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହେବା ପରେ ସୋସିଆଲ ମିଡିଆରେ ତାଙ୍କ ନିଆରା ଜୀବନଶୈଳୀକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଏଥିପାଇଁ ଲୋକଙ୍କ ପ୍ରିୟଭାଜନ ହୋଇ ପାରିଥିଲେ ସେ। ଏବେ ପ୍ରତାପ ବିଜୟଙ୍କ ପାଇଁ ପାଟକୁରା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଦେଖାଯାଉ ବିଜୟଙ୍କ ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରଚାର କେତେ କାମ କରୁଛି?

ଜୁଏଲ, କେଭି, ସମ୍ବିତ ବି ମଇଦାନରେ

ବିଜପିର ବରିଷ୍ଠ ନେତା ଜୁଏଲ ଓରାମ ଏବଂ କନକବର୍ଦ୍ଧନ ସିଂହଦେଓ ବି ପାଟକୁରା ନିର୍ବାଚନ ମଇଦାନରେ ଡୋର ଟୁ ଡୋର ବୁଲି ବିଜୟଙ୍କ ପାଇଁ ପ୍ରଚାର କରିଛନ୍ତି। ବିଜୟଙ୍କୁ ବିଜୟୀ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ ଏହି ବରିଷ୍ଠ ନେତା।

ସେହିପରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ବିଜୟଙ୍କ ପାଇଁ ପ୍ରଚାର କରିଛନ୍ତି।

ଦାମ କହିଲେ, ‘‘ଏଥର ସ୍ୱାଭିମାନର ବିଜୟ’’

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜୟ ମହାପାତ୍ରଙ୍କ ପାଇଁ ପାଟକୁରାରେ ପ୍ରଚାର କରିଛନ୍ତି। ଗାଁ ଗାଁ ବୁଲି ସେ ବିଜୟଙ୍କ ପାଇଁ ଭୋଟ ମାଗିଛନ୍ତି। ଏଥର ବିଜୟଙ୍କ ବିଜୟ ନିଶ୍ଚିତ ବୋଲି କହିଛନ୍ତି ଦାମ।

‘‘ଏଥର ପାଟକୁରାରେ ସ୍ୱାଭିମାନର ବିଜୟ ହେବ। ପାଟକୁରାବାସୀ ଟଙ୍କା ନେବେ ଜଣଙ୍କଠୁ, କିନ୍ତୁ ଭୋଟ ଦେବେ ଆଉ ଜଣଙ୍କୁ। ବିଜୟ ମହାପାତ୍ର ହେଉଛନ୍ତି ପାଟକୁରା ମାଟିର ପୁଅ। ସେ ୧୯୮୦ରୁ ୨୦୦୦ ଯାଏଁ ପାଟକୁରାର ବିଧାୟକ ଥିଲେ। ତାଙ୍କ ଅମଳରେ ପାଟକୁରାର ଯାହା ବିକାଶ ହୋଇଛି ତାହା ଅନ୍ୟ କାହା ଅମଳରେ ହୋଇନାହିଁ। ଏଥର ବିଜୟ ନିଶ୍ଚିତ ଜିତିବେ’’, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ପାଟକୁରା ନିର୍ବାଚନ ପାଇଁ ଆସନ୍ତାକାଲି ଶେଷ ହେଉଛି ପ୍ରଚାର। ହାତରେ ଆଉ ଗୋଟିଏ ଦିନ ଥିବାରୁ ପ୍ରଚାର ମଇଦାନ କମ୍ପୁଛି। ବିଜୟଙ୍କ ପାଇଁ ପାଟକୁରାରେ ବିଜେପି ଷ୍ଟାର ପ୍ରଚାରକଙ୍କ ଭିଡ଼ ଲାଗିଛି।

Comment