ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ମାତିଛନ୍ତି ତଣ୍ଟିକଟା। ଏହା ଆମେ କହୁନୁ, ୨୪ ଘଣ୍ଟା ଭିତରେ ତିନି ହତ୍ୟାକାଣ୍ଡ ଏହା କହୁଛି। ତିନି ଜଣଙ୍କୁ ସମାନ ଶୈଳୀରେ ତଣ୍ଟି କାଟି ହତ୍ୟା କରାଯାଇଥିବାରୁ କମିସନରେଟ୍ ପୋଲିସର ନିଦ ହଜି ଯାଇଛି। ତଣ୍ଟି କାଟି ଦୁର୍ବୃତ୍ତ ଛୁ ମାରିଥିବା ବେଳେ ପୋଲିସ ହତ୍ୟାକାଣ୍ଡର ଟେର୍ ପାଉନି।

ମଙ୍ଗଳବାର ସକାଳୁ ରାଣୀହାଟ ଅଞ୍ଚଳରେ ଜଣେ ଦିନ ମଜୁରିଆଙ୍କ ତଣ୍ଟିକଟା ମୃତଦେହ ଜବତ କରାଯାଇଥିଲା। ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା ଓଏମ୍ପି ଫ୍ଲାଏ ଓଭର ବ୍ରିଜ୍ ନିକଟସ୍ଥ ପାର୍କ ସାମ୍ନାରେ ଜଣେ ବ୍ୟକ୍ତିଙ୍କୁ ଓ ଏସ୍‌ସିବି ଡାକ୍ତରଖାନା ପାଖରେ  ଆଉ ଜଣେ ବ୍ୟକ୍ତିଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଉଭୟ ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ।

ଦୁଇ ଦିନ ଭିତରେ ସହରରେ ତିନିଜଣଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିଶେଷ କରି ଫୁଟପାଥରେ ଶୋଉଥିବା ଦିନ ମଜୁରିଆ, ଶ୍ରମିକଙ୍କୁ ଟାର୍ଗେଟ୍ କରାଯାଉଛି। ଗତକାଲି ଜଣେ ଶ୍ରମିକଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା ବେଳେ ଆଜି ଦୁଇ ଜଣଙ୍କୁ ସମାନ ଢଙ୍ଗରେ ତଣ୍ଟି କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ୨୪ ଘଣ୍ଟା ବ୍ୟବଧାନରେ ତିନିଟି ହତ୍ୟାକାଣ୍ଡ କଟକ ପୋଲିସର ନିଦ ହଜାଇ ଦେଇଛି।

ବୁଧବାର ଭୋର୍ ପ୍ରାୟ ୪ଟାରେ ଜଣେ ଅଜଣା ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏସ୍‌ସିବି କାର୍ଡିଓଲୋଜି ବିଭାଗ ସାମ୍ନା ରାସ୍ତାରେ ଛଟପଟ ହେଉଥିବା ସ୍ଥାନୀୟ ଲୋକେ ଦେଖି ଏସ୍‌ସିବି ଫାଣ୍ଡିରେ ଖବର ଦେଇଥିଲେ। ମାତ୍ର ପୋଲିସ୍ ଆସିବା ବିଳମ୍ବ ହେବାରୁ କେତେକ ରୋଗୀ ସମ୍ପର୍କୀୟ ଓ ନିକଟସ୍ଥ ବ୍ୟବସାୟୀ ଗୁରୁତର ଥିବା ବ୍ୟକ୍ତିଙ୍କୁ ବ୍ୟାଟେରୀ ଚାଳିତ ଆମ୍ବୁଲାନ୍ସରେ  ଆଶୁ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ। ତାଙ୍କ ତଣ୍ଟି କାଟାଯାଇଥିବା ଡାକ୍ତର ଦେଖିଥିଲେ। ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଯାଇଥିବାରୁ ତାଙ୍କ ଅବସ୍ଥା ଅତି ଗୁରୁତର ହୋଇପଡିଥିଲା। ଶେଷରେ ସେ ଡାକ୍ତରଖାନାରେ ଆଖି ବୁଜିଥିଲେ।

ସେହିପରି ଓଏମ୍ପି ଫ୍ଲାଏ ଓଭରବ୍ରିଜ୍ ଗଡ଼ା ପାର୍କ ନିକଟରେ ଆଉ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ହତ୍ୟାକାଣ୍ଡ ଚାଉଳିଆଗଞ୍ଜ ଥାନାଠାରୁ ମାତ୍ର କେଇ ହାତ ଦୂରରେ ଘଟିଛି। ଯୁବକଙ୍କ ତଣ୍ଟି କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ୍ ସାଇଣ୍ଟିଫିକ୍ ଟିମ ସହାୟତାରେ ଘଟଣାସ୍ଥଳରୁ ମୃତଦେହକୁ ଜବତ କରିଛି।

ପୋଲିସ କମିସନର ସତ୍ୟଜିତ ମହାନ୍ତି, କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛନ୍ତି। ଦୁଇଟି ହତ୍ୟାକାଣ୍ଡରେ ମୃତକଙ୍କର ପରିଚୟ କିମ୍ବା ଠିକଣା ସଠିକ୍ ଭାବେ ଜଣାପଡିନାହିଁ।

ସୋମବାର ରାତିରେ ମଧ୍ୟ ରାଣୀହାଟ କେନାଲ୍ ରୋଡରେ ଜଣେ ଶ୍ରମିକଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ସମାନଭାବେ ମଙ୍ଗଳବାର ରାତିରେ ମଧ୍ୟ ଦୁଇ ଜଣଙ୍କର ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସମାନ ଶେଳୀରେ ୩ ଜଣଙ୍କୁ ହତ୍ୟା କରା ଯାଇଥିବାରୁ ପୋଲିସର ଚିନ୍ତା ବଢ଼ି ଯାଇଛି।

Comment