ସି ଉଦୟ ଭାସ୍କର

ଜୁଲାଇ ୧୯୯୯ ଥିଲା ଭାରତ ଓ ଅଟଳ ବିହାରୀ ବାଜପେୟୀଙ୍କ ସରକାର ପାଇଁ ଉଭୟ ଖୁସି ମନେଇବାର ଓ ଆଶ୍ୱସ୍ତ ହେବାର ମାସ। ସ୍ୱଳ୍ପ ସମୟ ପାଇଁ ଲଢ଼ା ଯାଇଥିବା ଅଥଚ ଉପମହାଦେଶରେ ଅସ୍ଥିରତା କରିପାରିବା ଭଳି କାରଗିଲ ଯୁଦ୍ଧରେ ପାକିସ୍ତାନ ତ ହାରିଲା। କିନ୍ତୁ ସେଠାକାର ସେନା ମୁଖ୍ୟ ଜେନେରାଲ ପରଭେଜ ମୁସରଫ ଯେଉଁଭଳି ଏକ ଅତ୍ୟନ୍ତ କଷ୍ଟକର ଯୁଦ୍ଧର ସୂତ୍ରପାତ କରାଇଥିଲେ ଓ ହିମାଳୟର ଉଚ୍ଚ ଶୃଙ୍ଗଗୁଡ଼ିକରେ ଲଢ଼ି ଭାରତର ସୈନ୍ୟମାନେ ଯେଉଁଭଳି ନିଜର ପରାକ୍ରମ ଦେଖାଇଥିଲେ ତାହାର ପଟାନ୍ତର ନାହିଁ।

ବହୁ ମୂଲ୍ୟ

କିନ୍ତୁ ଏହି ଯୁଦ୍ଧକୁ ଜିତିବା ପାଇଁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ପ୍ରାୟ ୫୦୦ ସୈନ୍ୟ ଅଫିସର ଏଥିରେ ଜୀବନ ଦେଇଥିଲେ ଓ ୧୪୦୦ ପାଖାପାଖି ସୈନ୍ୟବାହିନୀର ସଦସ୍ୟ ଆହତ ହୋଇଥିଲେ।ଏତେ ମାତ୍ରାରେ ସୈନ୍ୟ ଜୀବନ ଦେବା ଭାରତର ପ୍ରତିରକ୍ଷା ପ୍ରସ୍ତୁତି ଉପରେ ସେତେବେଳେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଭାରତ ପାଖରେ କାରଗିଲ ଭଳି ଏକ ଯୁଦ୍ଧ ଲଢ଼ିବା ପାଇଁ ଆବଶ୍ୟକୀୟ ଉପକରଣ ନଥିଲା। ହେଲେ ସେନାର ମଧ୍ୟମ ଓ କନିଷ୍ଠ ବର୍ଗର ଅଫିସର ମାନେ ନିଜର ସାହସ ପରାକ୍ରମ ଦେଖାଇ ଯୁଦ୍ଧ ଜିତିଥିଲେ।

ଥ୍ରୀ- ଆର

ଏ ବର୍ଷ ଜୁଲାଇ ୨୫ ରୁ ୨୭ ମଧ୍ୟରେ କାରଗିଲ ଯୁଦ୍ଧର ବିଂଶତମ ବର୍ଷିକୀ ଭାରତ ପାଳନ କରୁଛି। ଏହି ବର୍ଷ ପାଳନର ଥିମ ରଖାଯାଇଛି ରିମେମ୍ବର, ରିଜଏସ ଆଣ୍ଡ ରିନ୍ୟୁ। ଯେଉଁମାନେ କାରଗିଲ ଯୁଦ୍ଧରେ ପ୍ରାଣ ହରାଇଥିଲେ ସେମାନଙ୍କୁ ମନେ ପକାଇବା ଠିକ୍। କିନ୍ତୁ ସେମାନଙ୍କୁ ମନେ ପକାଇବା ବେଳେ ଦେଶର ପ୍ରତିରକ୍ଷା ପ୍ରତି ସରକାରମାନଙ୍କର ମନୋଭାବ ଉପରେ ନିହାତି ପ୍ରତିଫଳନ କରିବାର ଆବଶ୍ୟକତା ରହିଛି।

ମୂଳ କଥା

କାରଗିଲ ଯୁଦ୍ଧ ପଛରେ ମୂଳ କଥା ହେଉଛି ଦେଶର ତୁଙ୍ଗ ପ୍ରତିରକ୍ଷା ଅଧିକାରୀମାନେ ଏହିଭଳି ଏକ ଯୁଦ୍ଧ ହେବାକୁ ଯାଉଛି ତା’ର ସୁରାକ ବି ପାଇ ନଥିଲେ। ଅକ୍ଟୋବର ୧୯୬୨ ଓ ନଭେମ୍ବର ୨୦୦୮ ତାଜ ଆକ୍ରମଣରେ ବି ଠିକ୍ ଏହିଭଳି  ହୋଇଥିଲା। ଏହି ତିନୋଟି ଯାକ ଆକ୍ରମଣରେ ଭାରତର ବହୁ ସୈନ୍ୟ ପ୍ରାଣ ହରାଇଥିଲେ। ଅବଶ୍ୟ ୧୯୬୨ ଯୁଦ୍ଧ ପରେ ୧୯୭୧ରେ ଭାରତ ପାକିସ୍ତାନକୁ ଶିକ୍ଷା ଦେଇଥିଲା ଓ ଏହି ଯୁଦ୍ଧ ବଙ୍ଗଳା ଦେଶକୁ ଜନ୍ମ ଦେଇଥିଲା।

କାରଗିଲ ପୂରା ଅଲଗା

ଅନ୍ୟ ତିନୋଟି ଭାରତ-ପାକିସ୍ତାନ ଆକ୍ରମଣ ତୁଳନାରେ କାରଗିଲ ଯୁଦ୍ଧ ପୂରା ଅଲଗା ଥିଲା। ଭାରତ ପାଇଁ ଏହି ଯୁଦ୍ଧର ପରି ସମାପ୍ତି ଯଦିଓ ସକାରାତ୍ମକ ଥିଲା, ବାଜପାୟୀ ସରକାର ୧୯୯୯ ଜୁଲାଇ ୨୯ ତାରିଖରେ ଏକ କମିଟି ଗଠନ କଲେ। ଏହି କମିଟିର ଦାୟିତ୍ୱ ଥିଲା ଲଦାଖର କାର୍ଗିଲ ଜିଲ୍ଲାରେ ପାକିସ୍ତାନ ପକ୍ଷରୁ ଯେଉଁ ଆକ୍ରମଣ ଆରମ୍ଭ ହେଲା ତା’ ପଛରେ ଥିବା ଅସଲ କାରଣକୁ ଖୋଜି ବାହାର କରିବା। ଭବିଷ୍ୟରେ ଯେମିତି ଏଭଳି ଅଚାନକ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ସେଥିପାଇଁ କଣ କରିବାକୁ ହେବ ସେ କଥା ମଧ୍ୟ କମିଟିର ଦାୟିତ୍ୱ ଥିଲା।

ସ୍ୱର୍ଗତ କେ ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଠିକଣା ସମୟ ମଧ୍ୟରେ ରିପୋର୍ଟ ସରକାରଙ୍କୁ ଦେଇଥିଲା, ଯାହାକି ଏକ ରେକର୍ଡ। ଖାଲି ସେତିକି ନୁହେଁ, ସମଗ୍ର ରିପୋର୍ଟର ଏକ ଅଂଶ ପବ୍ଲିକ ଡମେନରେ ବି ଛଡ଼ା ଯାଇଥିଲା। ରିପୋର୍ଟର ଶେଷ ଭାଗରେ ଯାହା ଲେଖା ଅଛି ତାହା ତାତ୍ପର୍ଯ୍ୟପୂର୍ଣ୍ଣ। ଏଥିରେ କୁହାଯାଇଛି ଯେ ସେନା ବାହିନୀ, ଗୁଇନ୍ଦା ବିଭାଗ, ସଂସଦ, ସରକାର, ଗଣମାଧ୍ୟମ ଓ ସମଗ୍ର ଦେଶ ଏଭଳି ଘଟଣା ସମ୍ପର୍କରେ ତର୍ଜମା ଓ ଆଲୋଚନା କରିବା ଆବଶ୍ୟକ ଏବଂ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଯେତେ ଶୀଘ୍ର ଏବଂ ଯେତେ ବ୍ୟାପକ ଭାବେ ଏହି ରିପୋର୍ଟର ତର୍ଜମା ହେବ ସେତେ ମଙ୍ଗଳ ବୋଲି କମିଟି କହିଥିଲା।

ସତୀଶ ଚନ୍ଦ୍ର, ଲେଫ୍ଟନାଣ୍ଟ ଜେନେରାଲ ହଜାରୀ ଓ ବିଜି ଭର୍ଗିସଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ଏହି ଏଗାର ଜଣିଆ କମିଟିରେ ଥିଲେ। ଅବଶ୍ୟ ବାଜପେୟୀଙ୍କ ସରକାର ଏହି ରିପୋର୍ଟର ଅନୁଧ୍ୟାନ ପାଇଁ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଥିଲେ। ଅର୍ଥାତ, ଯାହା ସରକାରୀ ସ୍ତରରେ ହୁଏ ତାହା ହିଁ ହୋଇଥିଲା। ୨୦୦୧ରେ ପାର୍ଲାମେଣ୍ଟ ଉପରେ ଆକ୍ରମଣ ପରେ କିନ୍ତୁ କାରଗିଲ ଯୁଦ୍ଧକୁ ସମସ୍ତେ ଭୁଲିଗଲେ ଓ ସାଂସଦ ଆକ୍ରମଣ ପ୍ରମୁଖ ସ୍ଥାନ ଲାଭ କଲା।
ରାଜନୀତି

କାରଗିଲ ବିଜୟର କୋଡ଼ିଏ ବର୍ଷ ପୂର୍ତ୍ତିକୁ ନେଇ ଆମେ ଖୁସି ମନାଇବାକୁ ଚାହୁଁଛୁ। ଅଥଚ ଏଥିରେ କ’ଣ ଅଛି ସେ କଥା ବିଚାରକୁ ନେବା ପାଇଁ ଚାହୁଁନା। ବର୍ତ୍ତମାନ ସମୟର ସ୍ଥିତି ହେଉଛି ଦେଶର ସୁରକ୍ଷାକୁ ନେଇ ମୋଦି ସରକାର ଦ୍ୱିତୀୟ ଥର ପାଇଁ ଏକ ବିଶାଳ ରାୟ ପାଇଛନ୍ତି। କିନ୍ତୁ ସେନା ବାହିନୀର ଉପଯୁକ୍ତ ଆବଶ୍ୟକତା ପ୍ରତି ଧ୍ୟାନ ନଦେଇ ତାହାକୁ ଆବଶ୍ୟକ ଅନୁସାରେ ଓ ରାଜନୈତିକ ଭାବେ ବ୍ୟବହାର କରାଯାଉଛି ଯାହାକି  ବିରାଟ ଏକ ବିପଦ।

(ଲେଖକ ଜଣେ ପ୍ରତିରକ୍ଷା ବିଶେଷଜ୍ଞ ଓ ଦିଲ୍ଲୀର ସୋସାଇଟି ଫର୍ ପଲିସି ଷ୍ଟଡ଼ିଜର ନିର୍ଦ୍ଦେଶକ)

Comment