ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡା : ଲଗାଣ ବର୍ଷା ଯୋଗୁଁ ଧୋଇଗଲା କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ। ଫଳରେ ବିଚ୍ଛିନ୍ନ ହୋଇଯାଇଛି ୬ଟି ପଞ୍ଚାୟତ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ନିର୍ମାଣ ହୋଇଥିଲା ଅସ୍ଥାୟୀ ପୋଲ। ଏହି ପୋଲ କଲ୍ୟାଣସିଂହପୁର, ପାର୍ସାଲି, ସୁନାଖଣ୍ଡି, ପୁଜାରୀଗୁଡା, ପୋଲମା ଓ ଖାତିପାଡୁ ପଞ୍ଚାୟତକୁ ସଂଯୋଗ କରିଥିଲା। କିନ୍ତୁ ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଭାଙ୍ଗି ଯିବା ଫଳରେ ଏବେ ୬ଟି ପଞ୍ଚାୟତବାସୀଙ୍କ ସମସ୍ୟା ବଢ଼ିଯାଇଛି।

ବର୍ଷା ଯୋଗୁଁ କଲ୍ୟାଣୀ ଓ ନାଗାବଳି ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲଗିଛି। ପୋଲ ଭାସିଯିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଯିରେ ଅସୁବିଧା ଭୋଗିଥିଲେ।

ବିଶେଷକରି ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ କନ୍ଧମାନେ ଉତ୍ପାଦିତ ସାମଗ୍ରୀକୁ ସଦର ମାର୍କେଟରେ ବିକ୍ରି କରିଥାନ୍ତି। ହେଲେ ପୋଲ ଧୋଇଯିବା ଯୋଗୁଁ ସେମାନେ କେମିତି ବଜାର ଆସିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ରୋଗୀମାନେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସବୁବେଳେ ନିର୍ଭର କରିଥାନ୍ତି। ବର୍ତ୍ତମାନ ପୋଲ ଧୋଇ ଯାଇଥିବାରୁ କେମିତି ମେଡିକାଲ ଆସିବେ ତାକୁ ନେଇ ସେମାନେ ଚିନ୍ତାରେ ଅଛନ୍ତି।

୨୦୧୭ ମସିହାରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ବଡଦ୍ୱାରସାହି ନିକଟରେ ଥିବା ସ୍ଥାୟୀ ପୋଲ  ଭାଙ୍ଗିଗଲା। ଫଳରେ ୬ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ଉକ୍ତ ଅଞ୍ଚଳର ଲୋକେ ଭେଳା ସାହାଯ୍ୟରେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଥିଲେ। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଉକ୍ତ ନଦୀରେ ସରକାରୀ ବୋଟ ଚଳାଚଳ ଅରମ୍ଭ ହୋଇଥିଲା। ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସ୍ଥାୟୀ ପୋଲ ନିର୍ମାଣ ପ୍ରାୟ ୧ ବର୍ଷ ତଳେ ଆରମ୍ଭ ହୋଇଥିଲା। ହେଲେ ପୋଲ ନିର୍ମାଣ ଶେଷ ହୋଇନି। କେବେ ସରିବ ତାହା ବି ଅନିଶ୍ଚିତତା ଭିତରେ ରହିଛି।

ବିଡିଓ ଅନୁପ ପଣ୍ଡା କହିଛନ୍ତି, ‘‘ଲୋକଙ୍କ ସୁବିଧା ପାଇଁ ଆଜିଠାରୁ କଲ୍ୟାଣୀ ନଦୀରେ ସରକାରୀ ଡଙ୍ଗା ଚଳାଚଳ କରାଯିବ। ଏଥିପାଇଁ ସ୍ଥାନୀୟ କୈବର୍ତ୍ତ ସଂପ୍ରଦାୟର ଲୋକଙ୍କୁ ଦୟିତ୍ୱ ଦିଆଯାଇଛି। ଆସନ୍ତା ବର୍ଷ ବର୍ଷା ପୂର୍ବରୁ ବ୍ରିଜ ନିର୍ମାଣ କାର୍ଯ୍ୟ ସରିବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛିା’’

Comment